ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଲୋଇସିଂହା ମହାବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ମୁଖ୍ୟବକ୍ତା ଆଇନଜୀବୀ ଦିଲିପ କୁମାର ବେହେରା ଏବଂ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁଷମା ମହାପାତ୍ର, ଆଇନ ପରାମର୍ଶଦାତା ପ୍ରଶାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ନାରୀ ନିର୍ଯ୍ୟାତନା ଓ ତାର ନିରାକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହିତ ପ୍ରାକ୍ ବିବାହ ଗର୍ଭଧାରଣ, ଗର୍ଭାବସ୍ଥାରେ ଲିଙ୍ଗ ନିରୂପଣ ଆଇନ, ବାଲ୍ୟ ବିବାହ ଆଇନ, ଯୌତୁକ ନିର୍ଯ୍ୟାତନା ଆଇନ ତଥା ଶିଶୁ ନିର୍ଯ୍ୟାତନା ଆଇନ ଉପରେ ବିଶଦ ଆଲୋଚନା କରାଯାଇଥିଲା । ଆଗଲପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ର ଛାତ୍ରୀମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିଥିବା ବେଳେ ଦେଓଗାଁ ସିଡିପିଓ ମିନତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ମମତା କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ଶିବାନୀ ଠାକୁର, ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି, ସ୍ଵଧାର ଓ ସଖୀ ସେଣ୍ଟର୍, ବଲାଙ୍ଗିରର କର୍ମକର୍ତ୍ତାଙ୍କ ସମେତ ଲୋଇସିଂହା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର କର୍ମକର୍ତ୍ତା, ବିଏଲ୍ଏଫ୍ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସୁରକ୍ଷା ଅଧିକାରିଣୀ ସୁଜାତା ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.