ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ଆୟୋଜିତ ହୋଇଛି ଶୁଲିଆ ଯାତ୍ରା । ଗତ ବିଳମ୍ବିତ ରାତିରେ ନିଶିପୂଜା ହୋଇଥିଲା । ମଙ୍ଗଳବାର ଭୋର୍ ସମୟରେ ଛତର୍ ବଏରଗ୍ ଓ ପାଟବୁଦା ଧରି ପାରମ୍ପରିକ ବାଦ୍ୟ ରୀତିନୀତି ସହ ବରୁଆ ଓ ଦେହୁରିଆମାନେ ଶୋଭାଯାତ୍ରାରେ ଶୁଳିଆ ପୀଠରେ ପହଞ୍ଚିଥିଲେ । ଶୁଳିଆ ବୁଢାଙ୍କ ପୀଠରେ ପୂଜାର୍ଜନା ପରେ ଉଭୟ ଖଳାରେ ଶହ ଶହ ସଂଖ୍ୟାରେ ପୋଢ଼, ବୋଦା, ମେଣ୍ଢା, କୁକୁଡ଼ା, ପାରା, ବତକ ଆଦି ବଳି ପଡ଼ୁଥିବା ଦେଖିବାକୁ ମିଳିଛି । ରକ୍ତରଞ୍ଜିତ ହୋଇପଡ଼ିଛି ଶୁଳିଆ ପୀଠ । ଶୁଲିଆ ଯାତ୍ରାରେ ମାନସଧାରି ଭକ୍ତ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।