ମନ୍ତ୍ରୀଙ୍କ ଦ୍ୱାରା ନୂତନ ରାସନ କାର୍ଡ ପ୍ରଦାନର ଶୁଭାରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପନଗରପାଳିକା ଶ୍ରୀମତୀ ସୀମା ଦାସ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନଗରପାଳ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବାରିପଦା ପୌରାଞ୍ଚଳର ୨୮ଟି ୱାର୍ଡରେ ଅଦ୍ୟାବଧି ନୂତନ ୪୨୮ଟି ପରିବାରଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନିତ କରାଯାଇଛି ଏବଂ ସେଥି ମଧ୍ୟରୁ ଆଜି ଏହି କାର୍ଯ୍ୟକ୍ରମରେ ୧୬୭ ଜଣଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଏହି ନୂତନ ରାସନ କାର୍ଡ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିବା ଅବସରରେ କହିଥିଲେ ଯେ, ବାରିପଦା ସହରରେ ଆଗକୁ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟକରିବା ପାଇଁ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବାରିପଦା ସହରକୁ ଏକ ସ୍ମାର୍ଟ ସିଟି କରିବା, ସହର ଭିତରେ ଥିବା ଅନେକ ଗୁଡିଏ ପରିତ୍ୟକ୍ତ ପୋଖରୀକୁ ପୁନଃରୁଦ୍ଧାର ସହ ଏହାର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତାଘାଟର ପ୍ରଶସ୍ତିକରଣ ଇତ୍ୟାଦି ଅନେକ ଉନ୍ନତି ମୂଳକ କାର୍ଯ୍ୟହେବ । ଏଥିପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସଚିବ ରାମ ଚନ୍ଦ୍ର ସୋରେନ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି କାନ୍ଦ୍ରା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ ୱାର୍ଡର କାଉନସିଲର, ବିଭଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.