ବୁଢ଼ୀପଦର ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ଲୋଇସିଂହା ବ୍ଲକର ବୁଢ଼ୀପଦର ଓ ବୁର୍ଡ଼ା ଗ୍ରାମକୁ ମଡେଲ ଗ୍ରାମ ଭାବେ ବ୍ଲକ ପ୍ରଶାସନ ହାତକୁ ନେଇଛି । ଏହି ଅବସରରେ କଠିନ ତଥା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ବୁଢ଼ୀପଦର ଗ୍ରାମରେ ସଚେତନତା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ତଥା ବୈଠକ ଆୟୋଜିତ ହୋଇଥିଲା । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ ଯୋଗଦେଇ ଗ୍ରାମର ପ୍ରତ୍ୟେକ ଘରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର କିଭଳି ସୁପରିଚାଳନା କରାଯାଇ ପାରିବ, ସେ ଉପରେ ଆଲୋକପାତ କରିଥିଲେ । ଜିପିଇଓ କିଶୋର ଚନ୍ଦ୍ର ମାନସିଂ, ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ସମାଜସେବୀ ଯୁଧିଷ୍ଠିର ପଧାନ, ବିଆର୍‌ସି ଛବିଳ ବେହେରା, ଏମ୍‌ବିକେ ରଜନୀ ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ କଠିନ ବର୍ଜ୍ୟବସ୍ତୁକୁ ପଞ୍ଚାୟତରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନେବା ସକାଶେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡସଭ୍ୟ ତଥା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.