- ପାୱାର ଲିଫଟିଙ୍ଗ କରି କ୍ରୀଡାର ଶୁଭାରମ୍ଭ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଅଗଷ୍ଟ ତା୨୫ରୁ ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି । ଗତକାଲି କ୍ରୀଡା ସପ୍ତାହର ଶୁଭାରମ୍ଭ ପାୱାର ଲିଫଟିଙ୍ଗ ଇଭେଣ୍ଟରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓକ୍ସି ଜିମ୍ ପଟାଭାଡ଼ିଠାରେ ପାୱାର ଲିଫଟିଙ୍ଗ କରି କ୍ରୀଡା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି କ୍ରୀଡା ସପ୍ତାହ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ବହୁମୁଖୀ କ୍ରୀଡା ଆୟୋଜନ କରାଯାଉଥିବା ବେଳେ ଆସନ୍ତା କାଲି ତା ୨୭/୦୮/୨୨ରେ ଟ୍ରାକ ଓ ଫିଲଡ଼ ଇଭେଣ୍ଟ ସହ ଖୋକୋ, କବାଡି, ବେଡ଼ମିଣ୍ଟନ ପ୍ରଭ୍ୟତି ଅନୁଷ୍ଠିତ ହେବ । ତା୨୮/୦୮/୨୨ରେ ପୁନଶ୍ଚ ବେଡ଼ମିଣ୍ଟନ ସହ ଚେସ, ବକ୍ସିଂ, ସ୍ୱିମିଙ୍ଗ ଏବଂ ତା୨୯/୦୮/୨୨ରେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନୁଷ୍ଠିତ ପାୱାର ଲିଫଟିଙ୍ଗ ଇଭେଣ୍ଟର ମହିଳା ବର୍ଗରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ, ଉପଜିଲ୍ଲାପାଳ ସୋନପୁର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସହ ୨୦ ପ୍ରତିଭାଗୀ ଓ ପୁରୁଷ ବର୍ଗରେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ ସହ ୩୦ ପୁରୁଷ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । ଏହି ଉଦ୍ଘାଟନୀ ତଥା କ୍ରୀଡା ସପ୍ତାହର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଉପଜିଲ୍ଲାପାଳ ବୀର ମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାୱାର ଲିଫ୍ଟର ଉଦ୍ଧବ ମେହେର, ମାମି ମେହେର, ପ୍ରସାଦ ଭବାନୀ ଶଙ୍କର ସାହୁ, ପୃଥ୍ଵୀରାଜ ମଲ୍ଲିକ, ଓନୀଲ ନାଏକ ପ୍ରମୁଖ ପାୱାର ଲିଫଟିଙ୍ଗ ଇଭେଣ୍ଟର ପରିଚାଳନା କରିଥିବା ବେଳେ ଜିମ୍ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।