ସୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥିକୁ ମିଳିବ ଦଣ୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହି ଯୋଜନାରେ ସାମିଲ୍ କରିବା ପାଇଁ ହେଉ ବା ଅସାଧୁ ଉପାୟରେ ମହିଳା ମାନଙ୍କୁ ମିଛ ସହଯୋଗ କରିବା କହି କିଛି ଅସାଧୁ କୁଜି ନେତା, ନେତ୍ରୀ ମଧ୍ୟସ୍ଥି ସାଜି କିଛି ମହିଳାଙ୍କ ଠାରୁ ୫୦୦/୬୦୦ ଟଙ୍କା ନେଇଥିବା ଭଳି ଶୁଣାଯାଉଛି । ଏନେଇ ଆଶ୍ରା ଗୃପ୍‌ର ମହିଳା ସଦସ୍ୟାମାନେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ମୀନତି ଦେବତାଙ୍କ ନେତୃତ୍ୱରେ ସିଡିପିଓଙ୍କୁ ଦେଖାକରି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ଶ୍ରୀମତୀ ଦେବତା ସୂଚନା ଦେଇ କହିଛନ୍ତି ଯେ, ସୁଭଦ୍ରା ଯୋଜନା ସରକାରୀ ଗାଇଡ୍‌ ଲାଇନ ହିସାବରେ ହେବ । ହିତାଧିକାରୀଙ୍କର କେବଳ ଆଧାର କାର୍ଡ, ବ୍ୟାଙ୍କ ଖାତା ଦରକାର ହେବ । ଆଉ କୌଣସି ପ୍ରକାର କାଗଜପତ୍ରର ଆବଶ୍ୟକ ନାହିଁ । ଏହି କାର୍ଯ୍ୟକ୍ରମ ସମସ୍ତ ଜନସେବା କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଗଣାରେ ଅନ୍‌ଲାଇନ୍‌ରେ ହେବ । ତେଣୁ କୌଣସି କୁଜି‌ନେତା କିମ୍ବା ନେତ୍ରୀ ଯଦି ହିତାଧିକାରୀଙ୍କ ଠାରୁ ଟଙ୍କା ନିଅନ୍ତି ଖବର ପାଇଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆମ ଆଶ୍ରା ସଙ୍ଗଠନର ସଦସ୍ୟ ମାନଙ୍କ ପାଖରେ ଖବର ପହଞ୍ଚିଛି ଯେ, ମାସେ ଆଗରୁ କିଛି ନେତା ନେତ୍ରୀ ଦଲାଲ ମାନେ ୫୦୦/୬୦୦ ଟଙ୍କା ନେଇ ଯୋଜନା କରେଇ ଦେବୁ କହି ମହିଳାଙ୍କଠୁ ଟଙ୍କା ନେବା ଆରମ୍ଭ କରିଲେଣି । ତେଣୁ ଏସମ୍ପର୍କରେ ସିଡିପିଓଙ୍କ ସଂଗେ ଆଲୋଚନା କରିବା ସହ ସୂଚନା ଦେଇଥିଲେ । ଶ୍ରୀମତୀ ଦେବତା କହିଛନ୍ତି ଯେ, ଆଜିଠୁ ଆମ ସଙ୍ଗଠନର ମହିଳା ମାନେ ପ୍ରତି ୱାର୍ଡରେ ବୁଲି ବୁଲି ଏ ସମ୍ପର୍କରେ ସଚେତନତା କରାଇବେ । ଆଉ ଯଦି କୌଣସି ଅଞ୍ଚଳରେ କିଏ ପଇସା ନେଇଥିବା ଦେଖିବୁ କି କୌଣସି ମହିଳା ଅଭିଯୋଗ କରନ୍ତି ଯେ, ତାଙ୍କ ଠାରୁ କିଏ ଟଙ୍କା ନେଇଛି ତୁରନ୍ତ ତାଙ୍କ ନାଁରେ କେଶ୍ କରି ଆରେଷ୍ଟ କରାଯିବ । ସମସ୍ତ ହିତାଧିକାରୀ କିପରି ବିନା ଶୋଷଣରେ ଯୋଜନାର ସୁବିଧା ପାଇପାରିବେ ସେଥିପାଇଁ ସଜାଗ ରହିବୁ ସେ କହିଛନ୍ତି ।

Leave A Reply

Your email address will not be published.