jayashree

ଶ୍ରୀମନ୍ଦିରରେ ନୂଆ ବର୍ଷରୁ ପ୍ଲାଷ୍ଟିକ୍‌, ପଲିଥିନ ମନା

ପୁରୀ : ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରାଯାଇଛି । ଏ ନେଇ ସମସ୍ତ ନିଯୋଗ ଏବଂ ତୀର୍ଥଯାତ୍ରୀଙ୍କୁ ପଲିଥିନ ବ୍ୟାଗରେ ଭୋଗ ଓ ଫୁଲ ନ ଆଣିବାକୁ କିମ୍ବା ନ ନେବାକୁ ଅନୁରୋଧ କରାଯାଉଛି । ବିକଳ୍ପ ସାମଗ୍ରୀଭାବେ କାଠ, ବାଉଁଶ, ପତ୍ର, ବାଡ଼ି କିମ୍ବା ଅନ୍ୟାନ୍ୟ ଶାକାହାରୀ ସାମଗ୍ରୀରେ ନିର୍ମିତ କାଗଜ, ସୂତା ବ୍ୟାଗ କିମ୍ବା ଚାଙ୍ଗୁଡ଼ି ବ୍ୟବହାର କରିପାରିବେ । ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ମଧ୍ୟରେ ଏହି ସଚେତନତା ବିସ୍ତାର କରିବାରେ ସମସ୍ତେ ସହଯୋଗ କରିବା । ଶ୍ରୀମନ୍ଦିର ଓ ପୁରୀ ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଡିସେମ୍ବର ୩୧ ତାରିଖଠାରୁ ଚାରୋଟି ଦ୍ୱାରରେ ପଲିଥିନ୍‌ ଓ ପ୍ଲାଷ୍ଟିକ ବାରଣ କରାଯିବ । ବିକଳ୍ପ ବ୍ୟବସ୍ଥା ପାଇଁ ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ୍‌ ଓ କୁମ୍ଭକାରମାନଙ୍କୁ ପାରିଶ୍ରମିକ ଦେଇ ମାଟିପାତ୍ର, ଭୋଗେଇ ଆଦି ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା । ଏକ ଅନୁଷ୍ଠାନ ଆସି ଝୋଟରେ ନିର୍ମିତ ଏକ ସାମଗ୍ରୀ ଦେବା ସମ୍ପର୍କରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.