ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ତଥା ରାଉରକେଲାର ଆଗଧାଡ଼ିର ସ୍ୱେଚ୍ଛାସେବୀ ସଂଗଠନ ବାସନ୍ତୀ ଯୁବ ପରିଷଦ, ବିରଜା କ୍ଷେତ୍ର ସଂଘ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସ୍ୱର୍ଗତ ମିହିର କୁମାର ସାହୁଙ୍କ ତୃତୀୟ ତଥା ତାଙ୍କ ପିତା ଶ୍ରୀନଥ ସାହୁଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ‘ସେବା ହିଁ ସେବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ‘ସ୍ୱପ୍ନ ମନ୍ଦିର’ ବୃଦ୍ଧାଶ୍ରମ ପ୍ରାଙ୍ଗଣରେ ଆୟୋଜନ କରାଯାଇ ଥିଲା । ଅତିଥି ତଥା ପରିବାର ସଦସ୍ୟ ଉଭୟ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଜୀବନର କିଛି ଅଭୁଲା ସ୍ମୃତିକୁ ଆଶ୍ରମର ଅନ୍ତେବାସୀଙ୍କ ସହ ବାଣ୍ଟିଥିଲେ । ସ୍ୱର୍ଗତ ସାହୁଙ୍କ ଆବର୍ତ୍ତମାନରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କର ବିଭିନ୍ନ ସାମାଜିକ ସଙ୍ଗଠନ ସହ ସଂପୃକ୍ତି ବିଷୟ ତଥା ସମାଜ ସେବା ସଂପର୍କରେ ଆଲୋଚନା କରାଯାଇଥିଲା । ତାଙ୍କ ପରିବାର ବର୍ଗ ବ୍ୟତୀତ ପୁରୁଣା ବନ୍ଧୁ ପୁରୁଷୋତ୍ତମ ଜେନା, ପୁତ୍ର ସମ୍ରାଟ ସାହୁ, ତାଙ୍କ ଜୀବନର ସମାଜସେବା ଓ ପରୋପକାର ସଂପୃକ୍ତି ସଂପର୍କରେ ଆଲୋଚନା କରିଥିଲେ । ନିଜେ ମାରାତ୍ମକ ରକ୍ତ କର୍କଟ ସହ ଲଢ଼ୁଥିବା ସମୟରେ ମୁମ୍ବାଇରୁ ମଧ୍ୟ ଓଡ଼ିଶା ପାଇଁ ‘କ୍ୟାନ୍ସର ଚେତନା କେନ୍ଦ୍ର’ ଗଢି କିପରି ଜନ ସଚେତନତା ସୃଷ୍ଟି ହେବ ଓ ମୁମ୍ବାଇ ଯାଉଥିବା କ୍ୟାନ୍ସର ରୋଗୀଙ୍କୁ କିପରି ସୁବିଧା ଯୋଗାଇ ହେବ ସେ ଉଦ୍ୟମ ଚଳାଇଥିଲେ ବୋଲି ଜଣାଇଥିଲେ । ମୃତ୍ୟୁ ଶଯ୍ୟାକୁ ଯିବାର ଗୋଟିଏ ଦିନ ପୂର୍ବରୁ ଉତ୍କଳମଣିଙ୍କ ଜୟନ୍ତୀ ପାଳନ କରିବାକୁ ଜିଦ୍ ଧରି ଘରୁ ବାହାରି ଯାଇଥିବା ଘଟଣା ତାଙ୍କ ପୁତ୍ରବଧୂ ଅନୁସୂୟା ମନେ ପକାଇ ଥିବା ବେଳେ ସେବା ଓ ଜନ ସଚେତନତାର କୌଣସି ସୁଯୋଗ ସେ ହାତଛଡ଼ା କରନ୍ତି ନାହିଁ ବୋଲି ତାଙ୍କ ପତ୍ନୀ ଶଶିକଳା କୋହ ଭରା କଣ୍ଠରେ କହିଥିଲେ । ତାଙ୍କ ଜୀବନ ଦର୍ଶନ ଓ ସେବା ମନୋଭାବ ତଥା ଆନୁଷ୍ଠାନିକ କାର୍ଯ୍ୟକଳାପ ସର୍ବଦା ଯୁବ ସମାଜକୁ ପ୍ରୋତ୍ସାହିତ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରମୁଖ ସଦସ୍ୟ ତଥା ଭୁବନେଶ୍ୱରର ଉଦୀୟମାନ ଯୁବ ସମାଜସେବୀ ପ୍ରୀତମ୍, ପ୍ରଶାନ୍ତ, ମିରଜ୍, ଶ୍ୱେତପଦ୍ମା, କନକ ଲତା, ସାମପିକାଙ୍କ ସହ ଲକ୍ଷ୍ମୀ ସିଂହ, ତ୍ରିଲୋଚନ, ସଂଧ୍ୟା, ମଧୁସ୍ମିତା, ସତ୍ୟ ଓ ସ୍ମୃତିରଞ୍ଜନ ଇତ୍ୟାଦି ନୂତନ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ‘ସେବା ହିଁ ସେବା’ର ଅନ୍ୟତମ ସଦସ୍ୟା କନକଲତା ଓ ସଦସ୍ୟ ପ୍ରଶାନ୍ତ ସ୍ୱାଇଁ ରାଉରକେଲାରେ ତାଙ୍କ ସହ ଅନେକ କାର୍ଯ୍ୟକ୍ରମରେ ଯୋଗଦାନ ସମୟର ଅନୁଭୂତି ଅନ୍ତେବାସୀ ଓ ଅନ୍ୟସଦସ୍ୟଙ୍କ ସହ ବାଣ୍ଟିଥିଲେ । ସେବା ଦିଗରେ ସେମାନଙ୍କ ପାଇଁ ରାଉରକେଲାର ବହୁ ପରିଚିତ ମିହିର ଭାଇଙ୍କ ଜୀବନ ଏକ ପ୍ରେରଣାର ଉତ୍ସ ବୋଲି ତାଙ୍କ ଝିଅ ତଥା ଅନୁଷ୍ଠାନର ଅନ୍ୟତମ ସଦସ୍ୟା ମାନସୀ ସାହୁ ମତବ୍ୟକ୍ତ କରିଥିଲେ ।