ଲୋକପ୍ରିୟ ଜନନେତା ବିଜୟଶ୍ରୀଙ୍କୁ ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଂଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକପ୍ରିୟ ନେତା ବିଜୟଶ୍ରୀ ରାଉତରାୟଙ୍କୁ ବିଜେଡ଼ି ପକ୍ଷରୁ ବିଜେଡ଼ି କାର୍ୟ୍ୟାଳୟ ପରିସରରେ ଶେଷ ଦର୍ଶନ କରାଯିବା ସହ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । ବିଜେଡ଼ିର ବହୁ ବରିଷ୍ଠ ନେତାମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କର ଏକମାତ୍ର ପୁଅ ବିଜୟଶ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୭୩ ମସିହାରେ ସେହି ବିଷୟରେ ସ୍ବର୍ଣ୍ଣପଦକ ସହ ଏମ୍‌ଏ ପାସ୍ କରିବା ପରେ ୧୯୭୪ରେ ରେଭେନ୍‌ସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇ ୧୯୮୦ ପର୍ୟ୍ୟନ୍ତ ଅଧ୍ୟାପନା କରିଥିଲେ । ପରେ ସେ ଅଧ୍ୟାପକ ଚାକିରି ଛାଡ଼ି ବାପାଙ୍କ ପଦାଙ୍କ ଅନୁସରଣ କରି ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ଏବଂ ୧୯୮୦ ମସିହାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର କରି ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୧୯୮୫ ମସିହାରେ ବି ତାଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ତାପରେ ୧୯୯୦ ଓ ୧୯୯୫ରେ ଜନତା ଦଳ, ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ୨୦୧୯ ପର୍ୟ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ବରିଷ୍ଠ ରାଜନୀତିଜ୍ଞ ବିଭିନ୍ନ ସମୟରେ ସଂସ୍କୃତି ଓ ପର୍ୟ୍ୟଟନ, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୯ରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଜ ଆଡୁ ଘୋଷଣା କରି ସାନପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ପାଇଁ ବାଟ ଛାଡ଼ି ଦେଇଥିଲେ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ଓ ବାସୁଦେବପୁର ଅଞ୍ଚଳର ଲୋକଙ୍କ ପାଇଁ ବିଜୟଶ୍ରୀ ଥିଲେ ଜଣେ ଅତ୍ୟନ୍ତ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ବ । ନିଜ ଅଞ୍ଚଳର ସବୁ ଗାଁକୁ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳଯୋଗାଣ, ବିଦ୍ୟୁତକରଣ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ସ୍ବାସ୍ଥ୍ୟସେବା, ନଦୀବନ୍ଧ ଯୋଜନା, ଚାଷଜମିକୁ ଜଳସେଚନ, ଉପକୂଳ ଅଞ୍ଚଳରେ ବନି ଜଙ୍ଗଲ ସୃଷ୍ଟି, ବାସୁଦେବପୁରକୁ ଏନ୍‌ଏସି ଓ ଏନ୍‌ଏସିରୁ ପୌରପାଳିକା ଗଠନ କରିବାରେ ତାଙ୍କର ଅବଦାନ ଅନସ୍ବୀକାର୍ୟ୍ୟ। ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ଓ ଶିଶୁ ୱାର୍ଡ ପ୍ରତିଷ୍ଠା ମଧ୍ୟ ତାଙ୍କର ଅନ୍ୟ ଏକ ସଫଳତା। ଗୋଟିଏ ବାକ୍ୟରେ କହିବାକୁ ଗଲେ ବାସୁଦେବପୁରର ନବନିର୍ମାତା ଥିଲେ ବିଜୟଶ୍ରୀ । ତାଙ୍କ ଭଳି ଜଣେ ଜନନେତାଙ୍କୁ ହରାଇ ଆଜି ଦୁଃଖରେ ଭାଂଗି ପଡ଼ିଛନ୍ତି ଅଂଚଳବାସୀ ।

Leave A Reply

Your email address will not be published.