jayashree

ରୁଚି ବିଶ୍ୱାଳଙ୍କୁ ଇସ୍ପାତ ଫିଟନେସ୍‌ ପାର୍କ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାର୍କର ଆରମ୍ଭଠାରୁ ଏହା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ପୋଲିସ ଅଫିସର ରୁଚିର କୁମାର ବିଶ୍ୱାଳଙ୍କ ଅକାଳ ବିୟୋଗରେ ପାର୍କଠାରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପାର୍କର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତା ଓ ଡକ୍ଟର ସୁମନ ଦତ୍ତଙ୍କ ସଂଯୋଜନାରେ ପାର୍କର ଷାଠିଏରୁ ଅଧିକ ସଦସ୍ୟ ଉପସ୍ଥିତ ରହି ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବିଶ୍ୱାଳ ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ନୂଆଁସାହି ଗ୍ରାମରେ ୧୯୬୪ ମସିହାରେ ପିତା କାଠିଆ ବିଶ୍ୱାଳ ଓ ମାତା କୁଲେଇ ବିଶ୍ୱାଳଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ୧୯୮୫ ମସିହାରେ ଢେଙ୍କାନାଳ ଜିଲ୍ଲାରେ ପୋଲିସ ବିଭାଗରେ ଭର୍ତି ହୋଇ ୧୯୯୯ ମସିହାରେ ରାଉରକେଲାକୁ ବଦଳି ହୋଇ ଆସିଥିଲେ । ପୋଲିସ ବିଭାଗରେ ବିଭିନ୍ନ ପଦପଦବୀରେ ବିଶେଷ କରି ରାଉରକେଲା ପୋଲିସର ଟ୍ରାଫିକ ବିଭାଗରେ ବେଶ ଦକ୍ଷତାର ସହ କାର୍ଯ୍ୟ କରି ଉପରିସ୍ଥ ଅଫିସର ତଥା ଜନସାଧାରଣଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ । ଆଗାମୀ ଏପ୍ରିଲ ମାସରେ ସେ ଅବସର ନେଇଥାନ୍ତେ, କିନ୍ତୁ ସମୟଚକ୍ରର କରାଳକ୍ରମରେ ଗତ ତିନି ତାରିଖରେ ହୃଦଘାତରେ ସେ ମୃତ୍ୟୁ ବରଣ କଲେ । ସେ ଜଣେ ମେଳାପୀ, ବନ୍ଧୁବସ୍ତଳ ଓ ପରୋପକାରୀ ଥିଲେ । ପାର୍କରେ ସବୁଦିନ ଶାରୀରିକ ବ୍ୟାୟାମ କରିବା ସହ ସମସ୍ତଙ୍କ ସାଙ୍ଗରେ ତାଙ୍କର ଅତ୍ମୀୟତା ଥିଲା । ତାଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ଚାରଣ କରି ଡ଼ାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ, ଏନ୍‌. ରାଜେନ୍ଦ୍ରନ, ଅଜୟ ପୁଜାରୀ, କାଶିନାଥ ନନ୍ଦୀ, ବିକାଶ ରାଉତରାୟ, ବିକାଶ ପ୍ରଧାନ, ଅଶୋକ ଜେନା, ରାଜକିଶୋର ଯୋଶି, ଅଲେଖ ବେହେରା, ବସନ୍ତ ମଲ୍ଲିକ, ଜୟନ୍ତ ନାୟକ, ବିବେକ ପରିଡ଼ା, ପି.କେ ସାହୁ, ଅକ୍ଷୟ ରାଉତ, ମନୋରଞ୍ଜନ ପ୍ରଧାନ, ରୋମାନ୍ସ ନାୟକ, ପ୍ରଫୁଲ୍ଲ କୁମାର ଦାସ, ଅଧୀର ବାରିକ, ପି କେ ସ୍ବାଇଁ, ଏମ୍ ଡି ଦାଉଦ୍ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ତ୍ରୀ ପଙ୍କଜିନୀ, ପୁଅ ଜଗଦୀଶ, ପୁତ୍ରବଧୂ ମୌସୁମୀ, ଝିଅ ଜୟଶ୍ରୀଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ବିଦ୍ୟାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.