ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅରିଶଲ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଜନୈକ ୩ ବର୍ଷ ବୟସର ଶିଶୁକନ୍ୟା ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଗ୍ରାମର ଉପେନ୍ଦ୍ର ପରିଡାଙ୍କ ସ୍ନେହାଶ୍ରୀ ନାମ୍ନୀ ଶିଶୁକନ୍ୟା ସାଥୀ ପିଲାମାନଙ୍କ ସହ ଖେଳୁଥିବା ବେଳେ ଘରଠାରୁ ଅନତିଦୂରରେ ଥିବା ଗାଁମୁଣ୍ଡ ପୋଖରୀରେ ଅସାବଧାନତାବଶତଃ ବୁଡିଯାଇ ପ୍ରାଣ ହରାଇଥିବା ନେଇ ପରିବାର ସୂତ୍ରରୁ ସୂଚନା ମିଳିଛି । ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ ପରିବାର ଲୋକେ ଶିଶୁକନ୍ୟାଟିକୁ ବହୁତ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ମିଳିନଥିଲା । ତେବେ ଗାଁମୁଣ୍ଡ ପୋଖରୀରେ ଖୋଜିବା ସମୟରେ ଶିଶୁକନ୍ୟାଟିକୁ ପାଣିରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶିଶୁଟି ମୃତ୍ୟୁବରଣ କରିଥିବା ନେଇ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ଶିଶୁକନ୍ୟାଟିର ଅକାଳ ବିୟୋଗରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ତେବେ ମୃତ ଶିଶୁକନ୍ୟା ପରିବାରକୁ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ରିଲିଫ ପାଣ୍ଠିରୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.