ଚରମ ଅବହେଳାର ଶୀକାର ରାଣୀପୁର ଝରିଏଲ – ହେମନ୍ତ ପଣ୍ଡା

  • ୬୪ ଯୋଗିନୀଙ୍କ ନାମ ତାଲିକା ଏଏସ୍‌ ଆଇ ପାଖରେ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବମ ଶତାଦ୍ଦୀର ରାଣିପୁର ଝରିଏଲ ସ୍ଥିତ ଐତିହାସିକ ଚୌଷଠି ଯୋଗିନୀ ପୀଠ ଚରମ ଅବହେଳାର ଶୀକାର ହୋଇଛି ବୋଲି ବଲାଙ୍ଗିରର ବିଶଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । ୬୪ ଯୋଗିନୀ ମୂର୍ତ୍ତିମାନଙ୍କ ମଧ୍ୟରୁ ୪୮ଟି ଯୋଗିନୀ ମୂର୍ତ୍ତି ରହିଥିବା କଥା ଆର୍‌ ପି. ମହାପାତ୍ରଙ୍କ ଦ୍ୱାରା ୧୯୮୬ ମସିହାରେ ଲିଖିତ ଓଡିଶାର ପ୍ରତ୍ନତତ୍ତ୍ୱ ପୁସ୍ତକରୁ ଜଣାପଡେ ବୋଲି ତଥ୍ୟରେ କୁହାଯାଇଛି । ୬୪ ଯୋଗିନୀ ମନ୍ଦିରରୁ ଉଭାନ ହୋଇଥିବା ମୂର୍ତ୍ତିଗୁଡିକ ନଷ୍ଟ ହୋଇଯାଇଛି କିମ୍ବା କାଢି ଦିଆଯାଇଛି ବୋଲି ବିଭାଗ ତଥ୍ୟ ପ୍ରଦାନ କରିଛି । ପର୍ଯ୍ୟଟକମାନେ ବର୍ତ୍ତମାନ ଦେଖୁଥିବା ମୂର୍ତ୍ତିଗୁଡିକୁ ସୁରକ୍ଷା ଦୃଷ୍ଟିରୁ ଲୁହା ଜାଲି ଦିଆଯାଇଥିବା କଥା ତଥ୍ୟରୁ ଜଣାପଡିଛି । କେନ୍ଦ୍ରୀୟ ସଂସ୍ଥା ପ୍ରତ୍ନତତ୍ତ୍ୱ ବିଭାଗ ରାଣୀପୁର- ଝରିଏଲ ଐତିହାସିକ ସ୍ଥଳୀକୁ ହାତକୁ ନେବା ପୂର୍ବରୁ କୌଣସି ଯୋଗିନୀ ମୂର୍ତ୍ତି ନଥିବା ସୂଚନା ବିଭାଗ ପାଖରେ ନାହିଁ । କେଉଁ କେଉଁ ମୂର୍ତ୍ତି ୬୪ ଯୋଗିନୀ ରାଣୀପୁର ଝରିଏଲ କିର୍ତ୍ତିରାଜୀରୁ ନିଖୋଜ ହୋଇଛନ୍ତି ସେମାନଙ୍କ ନାମ ବିଭାଗ ପାଖରେ ନାହିଁ ଓ ବର୍ତ୍ତମାନ ରହିଥିବା ଅବଶିଷ୍ଟ ମୂର୍ତ୍ତିଗୁଡିକର ନାମ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗରେ ନାହିଁ ବୋଲି ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ ସବୁ ଜାଣି ଅଜଣା ରହିବା ଅଭିନୟ କରୁଛି ବୋଲି ପଣ୍ଡା କହିଛନ୍ତି । ନିଖୋଜ ମୂର୍ତ୍ତିଗୁଡିକ କେଉଁ କେଉଁ ଯୋଗିନୀଙ୍କ ଥିଲା ଏହା ପ୍ରତ୍ନତତ୍ତ୍ୱ ବିଭାଗ ଅନୁସନ୍ଧାନ କରି ସେହି ସ୍ଥାନରେ ନୂତନ ପ୍ରତିକୃତି ସ୍ଥାପନ କରିବା ପାଇଁ ଉଦ୍ୟମ କରିବା ବଦଳରେ କିଛି ଜାଣି ନଥିବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖେଯାଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ରାଣୀପୁର ଝରିଏଲରେ ଦେଶର ଅନ୍ୟତମ ବିରଳ ୬୪ ଯୋଗିନୀ ତନ୍ତ୍ର ପୀଠ ଅବସ୍ଥିତ । ଅନ୍ୟ ୬୪ ଯୋଗିନୀ ତନ୍ତ୍ରପୀଠ ଅପେକ୍ଷା ଏହା ବୃହଦାକାର ଅଟେ । ଏହି ତନ୍ତ୍ର ପୀଠରେ ଚାମୁଣ୍ଡା, ରୁଦ୍ରାଣୀ, ବିକାରିଣି, କାମାଖ୍ୟା, ଅଘୋରି, ତ୍ରିପୁରା ସୁନ୍ଦରି, ଡାକିନୀ, ରାକିନୀ, ଲାକିନୀ, ଶାକିନୀ, ହାକିନୀ, ବାରୁଣୀ, ଜ୍ୱାଲିନୀ, ଭଦ୍ର କାଳୀ, ମାତଙ୍ଗୀ, ଚଣ୍ଡି, ଭୈରବୀ, କାଳରାତ୍ରୀ ଗୌରୀ, ଉମା, ଶାକଂଭରୀ, ଦୁର୍ଗା, ପାର୍ବତୀ, ମାହେଶ୍ୱରୀ, ବିନ୍ଧ୍ୟବାସିନୀ, କାମେଶ୍ୱରୀ, ତ୍ରେଲୋକ୍ୟମୋହିନୀ ଇତ୍ୟାଦି ୬୪ଟି ଦୁର୍ମୁଲ୍ୟ ଦେବୀ ମୂର୍ତ୍ତି ରହିଥିଲା । ଏହି ସମସ୍ତ ଦେବୀ ମୂର୍ତ୍ତିର ନାମ ଏବଂ ନିଖୋଜ ହୋଇଥିବା ମୁର୍ତ୍ତିଗୁଡିକର ନାମ ଅନୁସନ୍ଧାନ କରାଯାଇ ଖାଲି ରହିଥିବା ନିଖୋଜ ମୂର୍ତ୍ତି ସ୍ଥାନରେ ନୂତନ ପ୍ରତିକୃତି ସ୍ଥାପନ କରିବା ପାଇଁ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.