oum

ଲୋଇସିଂହା ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତବର୍ଷ ଶୀତକାଳୀନ ଅଧିବେଶନରେ ଭାରତୀୟ ସଂସଦରେ ଗୃହୀତ ହୋଇଥିବା ବିଲ ଅନୁଯାୟୀ ତିନୋଟି ନୂଆ ଅପରାଧିକ ଆଇନ(ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ-୨୦୨୩) କାର୍ଯ୍ୟକାରୀ ହେଉଛି । ଏହି ଅବସରରେ ଲୋଇସିଂହା ଥାନା ଅଭ୍ୟର୍ଥନା କକ୍ଷରେ ଆଇଆଇସି ଯାଜ୍ଞସେନୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଚେତନତା କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ତହସିଲଦାର ସଂଘମିତ୍ରା କାଲୋ ଯୋଗଦେଇ ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ଦିଗରେ ନୂଆ ଅପରାଧିକ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସୂଚନା ଦେବା ସହିତ ପ୍ରତି ନାଗରିକଙ୍କୁ ଅଧିକ ଦକ୍ଷତା ଭିତ୍ତିରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୃଷ୍ଟି କରିବା ଏହି ଆଇନ ଗୁଡ଼ିକର ମୂଲ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ତଦନ୍ତକୁ ପ୍ରାଥମିକତା ଦିଆଯାଇ ନୋଟିସ୍‌ ଦାଖଲ ହେବାର ଦୁଇ ମାସ ମଧ୍ୟରେ ଏଭଳି ମାମଲାର ସମାଧାନ କରିବାକୁ ପଡ଼ିବ ବୋଲି ଆଇଆଇସି ସୂଚନା ଦେଇଥିଲେ । ନୂଆ ଅପରାଧିକ ଆଇନ ଅନୁଯାୟୀ ଫୋରେନସିକ୍ ବିଶେଷଜ୍ଞମାନେ ଗୁରୁତର ଅପରାଧ କ୍ଷେତ୍ରରେ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ଆଇନଗତ ପ୍ରକ୍ରିୟା ସହଜ ହେବା ସହିତ କାଗଜପତ୍ର ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଉଛି । ତେବେ ଆଇନର ଦୁରୁପଯୋଗ ହେଲେ ସାଧାରଣ ନାଗରିକ ହିଁ କ୍ଷତିଗ୍ରସ୍ତ ହେବା ସହିତ ପୁରୁଣା ବୋତଲରେ ନୂଆ ମଦ ରଖିବା ଭଳି ଉପରୋକ୍ତ ଆଇନରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବେହେରା ପ୍ରକାଶ କରିଛନ୍ତି । ଏହି ଶିବିରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ, ଆଇନଜୀବୀ, ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଥାନାଧିକାରୀ ଶ୍ରୀମତୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.