oum

ଖପ୍ରାଖୋଲ ଥାନାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ତିନୋଟି ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ ଆସନ୍ତା ମାସ ପହିଲା (ଜୁଲାଇ ୧)ରୁ କାର୍ଯ୍ୟକାରୀ ହେବ । ଗତବର୍ଷ ଶୀତକାଳୀନ ଅଧିବେଶନରେ ସଂସଦରେ ଏହି ବିଲ୍ ଗୃହୀତ ହୋଇଥିଲା । ଭାରତୀୟ ନାଗରିକଙ୍କୁ ସଶକ୍ତ କରିବା ଦିଗରେ ନୂଆ ଅପରାଧିକ ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ନାଗରିକଙ୍କୁ ଅଧିକ ସୁଲଭ, ସହାୟକ ଏବଂ ଦକ୍ଷ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସୃଷ୍ଟି କରିବା ଏହି ଆଇନଗୁଡ଼ିକର ଲକ୍ଷ୍ୟ । ଏନେଇ ଖପ୍ରାଖୋଲ ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନସିପାଲ ବଳଭଦ୍ର ଦାସ ଉପସ୍ଥିତ ଥିଲେ । ଏନେଇ ଅତିଥିମାନେ ବକ୍ତବ୍ୟରେ କହିଥିଲେ ଯେତେବେଳେ ଜଣେ ବ୍ୟକ୍ତି ଗିରଫ ହେବେ, ସେତେବେଳେ ତାଙ୍କୁ ତାଙ୍କ ପସନ୍ଦ ବିଷୟରେ ତାଙ୍କ ପଦ ବିଷୟରେ ଜଣାଇବାର ଅଧିକାର ରହିବ । ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ତଦନ୍ତକୁ ପ୍ରାଥମିକତା ଦିଆଯାଇଛି । ନୋଟିସ୍‌ ଦାଖଲ ହେବାର ଦୁଇ ମାସ ମଧ୍ୟରେ ଏଭଳି ମାମଲାର ସମାଧାନ କରିବାକୁ ପଡ଼ିବ । ନୂଆ ଅପରାଧ ଆଇନ ଅନୁଯାୟୀ ଫରେନସିକ୍ ବିଶେଷଜ୍ଞମାନେ ଗୁରୁତର ଅପରାଧ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ ସମନ ଜାରି କରାଯିବ । ଏହା ଦ୍ୱାରା ଆଇନଗତ ପ୍ରକ୍ରିୟା ସହଜ ହେବ, କାଗଜପତ୍ର ହ୍ରାସ ପାଇବ ଏବଂ ମାମଲା ସହ ଜଡିତ ସମସ୍ତ ଲୋକଙ୍କ ମଧ୍ୟରେ ଦକ୍ଷ ଭାବ ବିନିମୟ ସହଜ ହେବ ବୋଲି ପ୍ରକାଶ କରିଥିଲେ । ଏହି ତିନୋଟି ନୂଆ ଆଇନର ଆତ୍ମା ହେବ ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ ଅଧିକାରର ସୁରକ୍ଷା କରିବା । ଏହାର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ଦେବା । ଏହି ପ୍ରକ୍ରିୟାରେ ଅପରାଧ ନିବାରଣ ଭାବନା ସୃଷ୍ଟି କରିବା ପାଇଁ ଯେଉଁଠାରେ ଆବଶ୍ୟକ ସେଠାରେ ଦଣ୍ଡ ଦିଆଯିବ ।

Leave A Reply

Your email address will not be published.