centurian jitm

ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

ଜୟପାଟଣା, (ଶେଷ ଦେବ ବେହେରା ) :  କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବିକାଶ ପାଇଁ ବରଦାନ ସାଜି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷର ରବି ଜଳ ସେଚନ ସମୟରେ ଜଳପତ୍ତନ ସର୍ବ ନିମ୍ନ ସ୍ତରକୁ ଖସିବା ସହିତ ଉଭୟ ବାମ ଓ ଦକ୍ଷିଣ କେନାଲରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଗତ ୧୩ ତାରିଖ ଦିନ ଦକ୍ଷିଣ ମୁଖ୍ୟ କେନାଲକୁ ବନ୍ଦ କରାଯାଇଥିବା ବେଳେ ଗୁରୁବାର ପୂର୍ବାହ୍ନରେ ବାମ କେନାଲକୁ ମଧ୍ୟ ବନ୍ଦ କରାଯାଇଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଚଳିତ ରବି ଚାଷ ସମୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ କଳାହାଣ୍ଡି ଜିଲ୍ଲାର ୫୩, ୩୭୪ ହେକ୍ଟର ଜମିରେ ଜଳ ସେଚନ କରାଯାଇଥିଲା । ଏଠାରେ ସୂଚନା ଥାଉକି ରବି ଜଳ ସେଚନ ଜାନୁଆରୀ ୭ତାରିଖରୁ ଆରମ୍ଭ କରାଯାଇ ମେ ୭ ତାରିଖ ପର୍ଯ୍ୟନ୍ତ ଜଳ ସେଚନ ଦେବାର ବ୍ୟବସ୍ଥା ଥିଲା । କିନ୍ତୁ ତଳ ମୁଣ୍ଡର ଚାଷୀ ମାନଙ୍କ ପାଣିର ଆବଶ୍ୟକତା ଦୃଷ୍ଟିରୁ ଅବଧି ବଢ଼ାଇବା ସହିତ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ କରାଗଲା । ଗତ ମୌସୁମୀରେ ବର୍ଷାର ଅନୁପାତ କମ ଥିବାରୁ ପୂର୍ବ ବର୍ଷ ତୁଳନାରେ ଜଳ ଭଣ୍ଡାରର ଜଳ ପତ୍ତନ ୨ ମିଟର ତଳେ ରହିଥିଲା । ଏବେ ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଥିବା ବେଳେ ଜଳ ପତ୍ତନ ସର୍ବନିମ୍ନ ୬୨୭.୨୭ମିଟର କୁ ଖସି ସାରିଛି । ଚଳିତ ବର୍ଷ ଜଳ ଭଣ୍ଡାର ଉଦବେଗ ସ୍ଥିତିକୁ ପହଞ୍ଚି ମୋଟ କ୍ଷମତା ୧,୪୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ଏବେ ୧୪, ୨୩୦ହେକ୍ଟର ମିଟରକୁ ପହଞ୍ଚିବା ସହ ମୋଟ ଜଳ ସ୍ତର ୯.୫୭୯ରେ ରହିଥିବା ସୂଚନା ମିଳିଛି । ଗତ ବର୍ଷ ଏହି ଦିନରେ ଜଳ ଭଣ୍ଡାର ର ଜଳ ପତ୍ତନ ୬୨୮.୦୭ମିଟର ଅର୍ଥାତ୍ ୧୩.୧୦ପ୍ରତିଶତ ରେ ରହିଥିଲା । ଜଳ ସେଚନ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ମଙ୍ଗଳପୁର ହାତୀ ବେରେଜ୍ ରୁ ନଦୀ ଗର୍ଭକୁ ୩୯.୧୦କୁମେକ୍ସ ଜଳ ଛଡ଼ା ଯାଉଥିବା ଜଣା ପଡ଼ିଛି ।

Leave A Reply

Your email address will not be published.