ଆଇଆର୍‌ଇଏଲ୍ ଲିଃ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମାଟିଖାଲରେ ଅବସ୍ଥାପିତ ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନସ୍ଥ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଆଖପାଖ ଅଞ୍ଚଳରେ ଆଜକୁ ପ୍ରାୟତଃ ୫ବର୍ଷ ହେଲା ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରି ଆସୁଛି । ଯାହାଦ୍ୱାରା ଆଞ୍ଚଳିକ ସ୍ତରର ବହୁ ଗରିବ ଖଟିଖିଆ, ଚାଷୀ, ମୂଲିଆ ଶ୍ରେଣୀର ଲୋକମାନେ ମାଗଣାରେ ଔଷଧ ଓ ଚିକିତ୍ସା ସେବା ପାଇ ଆଶୁ ଆରୋଗ୍ୟ ଲାଭ କରିଆସିଛନ୍ତି । ଆଖପାଖ ଅଞ୍ଚଳର ପ୍ରାୟ ୭ଟି ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀ ଏହି ସ୍ୱାସ୍ଥ୍ୟସେବା ଶିବିର ଲାଗି ବହୁ ଉପକୃତ ହୋଇଆସିଛନ୍ତି । ଗରିବ ଲୋକମାନଙ୍କ ନିମନ୍ତେ ଆଶୁ ଆରୋଗ୍ୟ ଓ ବହିଃ-ଚିକିତ୍ସା ନିମନ୍ତେ ଆଗାମୀ ଦିନରେ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ଆଇ.ଆର୍‌.ଇ.ଏଲ୍. (ଇଣ୍ଡିଆ)ଲିଃ. ମୁଖ୍ୟ ଜେନେରାଲ ମ୍ୟାନେଜର ସି.ଭି.ଆର.ମୂର୍ତ୍ତି ଗଣମାଧ୍ୟମ ଆଗରେ କହିଛନ୍ତି । ଗୁରୁବାର କଣମଣା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଟାକିରିଆ ବ୍ରହ୍ମପୁର ଗ୍ରାମର ଗୋଷ୍ଠୀ କେନ୍ଦ୍ରରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ ପ୍ରାୟ ଶତାଧିକ ଲୋକ ଏହି ସ୍ୱାସ୍ଥ୍ୟ ସେବା ଶିବିରର ସୁଯୋଗ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଆଇଆର୍‌ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଜେନେରାଲ ମ୍ୟାନେଜର ସି.ଭି.ଆର.ମୂର୍ତ୍ତି ପରିଦର୍ଶନରେ ଆସି ତଦାରଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ୍ ରିସୋର୍ସ ନରେନ୍ଦ୍ର କୁମାର ନାୟକ, ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍, ଆଇ.ଆର୍‌.ଇ.ଏଲ୍ ମେଡ଼ିକାଲର ମୁଖ୍ୟଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା, ପ୍ରମୁଖ କମ୍ପାନୀ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ ବି. ସୀମାଦ୍ରୀ, ସ୍ଥାନୀୟ ନେତା ତଥା ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜିତ ଶିବିରର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

error: Content is protected !!