ଅସହାୟ ଶବକୁ ଚାରି କାନ୍ଧ ଦେଇ ଶବ ସତ୍କାର କଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ମଣିଷକୁ କେତେବେଳେ ଅନ୍ଧ କରିଦିଏ ତ କେତେବେଳେ ଭବିଷ୍ୟତ ଉଜ୍ଜ୍ୱଳ କରିଦିଏ ତ କେତେବେଳେ ଚରମ ସୀମା ଉଲଂଘନ କରିଦିଏ । କେତେବେଳେ ପ୍ରେମ ଜୀବନ ଦେବାରେ ମଧ୍ୟ ପଛ ଘୁଞ୍ଚା ଦିଏନି । ପ୍ରେମ ଚିରନ୍ତନ ପ୍ରେମ ଶାଶ୍ୱତ । ପୁଅ ଝିଅ ପ୍ରେମ କରି ବେଳେବେଳେ ଭୁଲ ବାଟର ପଥିକ ହୋଇଯାଆନ୍ତି । ପ୍ରେମକୁ କେବେ କେବେ ଜାତି ପ୍ରଥା ମଧ୍ୟ ବାଧା ଦେଇଥାଏ । ପ୍ରେମକୁ ଜାତି ସମାଜ ସ୍ୱୀକୃତି ମଧ୍ୟ ଦେଇନଥାଏ ପରିସ୍ଥିତି ସମୟରେ । ପ୍ରେମ ବିବାହ ହେଉ କି ଗାନ୍ଧର୍ବ(ଉଧୂଳିଆ) ବିବାହରେ ଯଦି ପୁଅ ଝିଅ ଅନ୍ୟ ଜାତିର ହୋଇଥାନ୍ତି ସେତେବେଳେ ଜାତି ସମାଜ ମଧ୍ୟ ଜାତି ସମାଜ ନିୟମ ଅନୁସାରେ କଠୋର ପଦକ୍ଷେପ ନେଇଥାନ୍ତି । ସମୟ ସମୟରେ ଜାତିରୁ ମଧ୍ୟ ବାସନ୍ଦ କରିଥାନ୍ତି । ଏମିତି ଘଟଣା ଘଟିଛି ବେଳପଡା ବ୍ଲକ ଯୁବା ଗ୍ରାମରେ । ସୁଚନା ଅନୁସାରେ ଗଣ୍ଡ ଜାତିର ମହିଳା ପାର୍ବତୀ ଧରୁଆ କେଉଁଟ ଜାତିର ପୁଅକୁ ଗାନ୍ଧର୍ବ(ଉଧୂଳିଆ) ବିବାହ କରିଥିଲେ । ବର୍ତ୍ତମାନ ସେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମୃତ୍ୟୁ ସମୟରେ ଶବ ସତ୍କାର କରିବାକୁ ନା ଆସିଲେ ଜାତି ସମାଜ ନା ଆସିଲେ ସମ୍ପର୍କୀୟ ଲୋକମାନେ । ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟ ଉକ୍ତ ଗାଁକୁ ଯାଇ ମୃତକଙ୍କ ଘରକୁ ଯାଇ ତାଙ୍କର ପୁଅ ଦ୍ବାରୁ ଧରୁଆଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଥିଲେ । ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ ପୁଅ ଦ୍ବାରୁ ଧରୁଆଙ୍କ ସହ ବର୍ଷାରେ ଭିଜି ଭିଜି ଶବକୁ ଚାରି କାନ୍ଧ ଦେଇ ସ୍ଥାନୀୟ ଶ୍ମଶାନ ଘାଟକୁ ନେଇ ସସମ୍ମାନେ ଶବ ସତ୍କାର କରିଥିଲେ । ଆଜିର ଶବ ସତ୍କାର କାର୍ଯ୍ୟକ୍ରମରେ ସେବା ଚେରିଟେବୁଲ ଟ୍ରଷ୍ଟର ଉପସଭାପତି ଗିରିରାଜ ଭୋଇ, ବନମାଳୀ ନାଏକ, ସିପୁନ ଖମାରୀ ଉପସ୍ଥିତ ରହି ଶବ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.