ଲୋଇସିଂହା ଓ ଆଗଲପୁର ବ୍ଲକରେ ସ୍କ୍ରବ୍‌ ଟାଇଫସ୍ ଆତଙ୍କ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍କ୍ରବ୍‌ ଟାଇଫସ୍‌ ବା ଟ୍ରମ୍ବିଆକୁଲାଇଡ୍‌ ନାମକ ଏକ ବିଷାକ୍ତ କୀଟ ଏବେ ଲୋଇସିଂହା ଓ ଆଗଲପୁର ବ୍ଲକ ସମେତ ବଲାଙ୍ଗିର, ସୋନପୁର ଓ ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଳ ଭାବେ ଦେଖାଯାଉଛି । ଏହି ବିଷାକ୍ତ କୀଟ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି । ଗତବର୍ଷ ଆଗଲପୁର ବ୍ଲକ ଦାନିପାଲି ଗ୍ରାମର ଜନୈକା ମହିଳାଙ୍କ ଏହି ବିଷାକ୍ତ କୀଟ କାମୁଡ଼ାରେ ଜୀବନ ଯାଇଥିବାବେଳେ ସାଲେଭଟାର ଜଣେ ଛାତ୍ରୀ ବରଗଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିଲେ । ସେହିବର୍ଷ ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମର ଜନୈକ ବ୍ୟକ୍ତି ମଧ୍ୟ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ଚଳିତ ବର୍ଷ ଲୋଇସିଂହା ବ୍ଲକ ହୀରାପୁର ଗ୍ରାମର ଜନୈକ ବ୍ୟକ୍ତି ଏହି ପୋକ କାମୁଡ଼ା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେହି ଗ୍ରାମର ଆଉ ଜଣେ ବ୍ୟକ୍ତି ନିକଟରେ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ସେହିପରି ସଦର ବ୍ଲକ ଦୁଆନପାଲି ଗ୍ରାମର ଜନୈକ ବ୍ୟକ୍ତି ଦୁଇଦିନ ତଳେ ପ୍ରାଣ ହରାଇଥିବା ବେଳେ ଲୋଇସିଂହା ବ୍ଲକ ବିଶାଳପାଲି ଗ୍ରାମର ଜନୈକା ମହିଳା ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏହି କୀଟ କାମୁଡିବା ପରେ ଥଣ୍ଡାଜ୍ୱର ହୋଇଥାଏ । ତେବେ ଉକ୍ତ ବିଷାକ୍ତ କୀଟ ଗାଁ ଗହଳି ତଥା ଚାଷବାସ କରୁଥିବା ଅଞ୍ଚଳରେ ବିଶେଷ ଭାବେ ରୁହନ୍ତି । ପ୍ରାୟ ପଡ଼ିଆରେ ଖେଳୁଥିବା ପିଲାମାନେ ଏବଂ ଚାଷୀମାନେ ଏହାର ଶିକାର ହେଉଥିବା ଜଣାଯାଇଛି । ଏହି କୀଟ କାମୁଡ଼ିବା ଦ୍ୱାରା ପ୍ରଥମେ ଜ୍ୱର ହୋଇଥାଏ ଏବଂ ମୁଣ୍ଡ, ହାତଗୋଡ ବ୍ୟଥା ହୋଇଥାଏ । ପରେ ଜ୍ୱର ଓ ମୁଣ୍ଡବ୍ୟଥା ବଢ଼ିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ନଷ୍ଟ କରିଦେଇଥାଏ । ଏପରିକି ନିମୋନିଆ, କିଡନି ସଂକ୍ରମଣ ଓ ଫୁସଫୁସ ଜନିତ ସମସ୍ୟା ସହିତ କେତେକାଂଶରେ ସେପ୍ଟିସେମିଆ ଦେଖାଦେବାର ନଜିର ରହିଛି । ତେବେ ବିଶେଷ କରି ଗାଁ ଗହଳିରେ ଘରେ ଶୁଖାଉଥିବା କପଡ଼ାଲତା ଆଦିରେ ଏହି କୀଟ ରହିଯାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ଲୋକେ ସେହି କପଡା ବ୍ୟବହାର କଲେ କୀଟ କାମୁଡାର ଶିକାର ହେଉଥିବା ଦେଖିବାକୁ ମିଳିଛି । ସାଧାରଣତଃ ମଣିଷର କାଖ, ଅଣ୍ଟା ଆଦି ସ୍ଥାନରେ ଏହା କାମୁଡିଥାଏ । କୀଟ କାମୁଡ଼ିବା ପରେ ତା’ ଲାଳ ଯେଉଁଠି ଲାଗେ ସେଠି ଲାଲ୍‌ ପଡି ଘା’ ଭଳି ହୋଇଯାଇ ପରେ ଜ୍ୱର ଆଦି ଲକ୍ଷଣ ଦେଖାଇବା ଆରମ୍ଭ କରିଥାଏ । ଏହାର ଲକ୍ଷଣ ସାଧାରଣ ଥଣ୍ଡା ଜ୍ୱର ପରି ହୋଇଥିବାରୁ ଲୋକେ ତାହା ଜାଣିପାରୁ ନାହାନ୍ତି । ଫଳରେ ଡେରିରେ ଚିକିତ୍ସା ଆରମ୍ଭ କରି ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଜିଲ୍ଲା ସ୍ୱସ୍ଥ୍ୟ ବିଭାଗ ଏହି ରୋଗର ପ୍ରତିକାର ସକାଶେ ବିହିତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.