ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ “ରକେଟ୍ରି : ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ, (ପିଆଇବି) : ଏହି ଚଳଚ୍ଚିତ୍ର ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ପଦ୍ମଭୂଷଣ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଶିରିଫୋର୍ଟ ପ୍ରେକ୍ଷାଳୟରେ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି । ରକେଟ୍ରି ଟିମ୍, ଅଧ୍ୟକ୍ଷ ତଥା ଏହାର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ଶ୍ରୀ ଆର. ମାଧବନ ଏହି ପ୍ରଦର୍ଶନରେ ଯୋଗ ଦେଇଥିଲେ । ଶ୍ରୀ ମାଧବନ ଏଥିରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ସହ ଏହା ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର । ଏଥିରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଶ୍ରୀ ଡି.ଆର. କାର୍ତ୍ତିକେୟନ, ପୂର୍ବତନ ସିବିଆଇ ଆଇଜି ଶ୍ରୀ ପି.ମ୍ ନାୟାର, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଚଳଚ୍ଚିତ୍ର ଶିଳ୍ପର ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ । ଚଳଚ୍ଚିତ୍ରର ଅଭିନୟ, ସମ୍ପାଦନା ଓ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନର ଉତ୍ସାହପୂର୍ଣ୍ଣ କାହାଣୀ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା ।
ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଆର.ମାଧବନ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଭାରତର ମହାକାଶ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବୈଷୟିକ କ୍ଷମତା ବିଶେଷଭାବେ ପ୍ରତିଫଳିତ ହୋଇଛି । ଶ୍ରୀ ନାମ୍ବି ନାରାୟଣଙ୍କ ପ୍ରତି ଏହି ଚଳଚ୍ଚିତ୍ର ଏକ ଶ୍ରଦ୍ଧାଞ୍ଜଳି ସଦୃଶ । ଏହି ଚଳଚ୍ଚିତ୍ର ଜରିଆରେ ଭାରତ ବିଶ୍ୱକୁ ଆମର ମାନବ ସମ୍ବଳର ଦକ୍ଷତା ଓ ବୈଜ୍ଞାନିକ ପାରଦର୍ଶିତାର ପ୍ରମାଣ ଦେଇଛି ।
ରକେଟ୍ରି: ଦି ନାମ୍ବି ଇଫେକ୍ଟ ଏକ ଜୀବନ ବୃତ୍ତାନ୍ତ ଆଧାରିତ ନାଟକୀୟ ଚଳଚ୍ଚିତ୍ର ଯାହା ଭାରତୀୟ ମହାକାଶ ଗବେଷଣା ସଂଗଠନର ପୂର୍ବତନ ବୈଜ୍ଞାନିକ ତଥା ମହାକାଶ ଯନ୍ତ୍ରୀ ନାମ୍ବୀ ନାରାୟଣଙ୍କ ବାସ୍ତବ ଜୀବନ ଉପରେ ଆଧାରିତ । ମାତ୍ର ୧୯୯୪ ମସିହାରେ ସେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ । ରକେଟ୍ରି: ଦି ନାମ୍ବି ଇଫେକ୍ଟ ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବହୁଳଭାବେ ପ୍ରଶଂସିତ ହୋଇଥିଲା ।
ଏଥିରେ ଉଦ୍ବୋଧନ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଛୁଇଁବା ସହ ମନକୁ ବାନ୍ଧି ରଖିଥାଏ । ନାମ୍ବି ନାରାୟଣଙ୍କ ସମେତ ହଜାର ହଜାର ବୈଜ୍ଞାନିକ ଯେଉଁମାନେ ଭାରତର ମହାକାଶ କାର୍ୟ୍ୟକ୍ରମ ପାଇଁ ସମସ୍ତ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନିମନ୍ତେ ଏହି ଚଳଚ୍ଚିତ୍ର ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ ।
ପୂର୍ବତନ ସିବିଆଇ ମହାଆରକ୍ଷୀ ଶ୍ରୀ ପି.ଏମ ନାୟାର କହିଥିଲେ ଯେ ଏହି ଚଳଚ୍ଚିତ୍ର ମନୋରଞ୍ଜନଧର୍ମୀ, ଭାବୋଦ୍ଦୀପକ ଓ ଦର୍ଶକଙ୍କ ମନ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ । ଏହା ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଭାବାବେଗର ପ୍ରକୃଷ୍ଟ ସମ୍ମିଶ୍ରଣ । କେବଳ ଭାରତ ନୁହଁ, ସମଗ୍ର ବିଶ୍ୱରେ ଏହା ଆଦୃତ ହେବ ।
ଭାରତ ସମେତ ଜର୍ଜିଆ, ଋଷ, ସର୍ବିଆ ଓ ଫ୍ରାନ୍ସ ଇତ୍ୟାଦି ଅନେକ ଦେଶରେ ଏହି ଚଳଚ୍ଚିତ୍ରର ଫଟୋ ଉତ୍ତୋଳନ ହୋଇଛି । ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ ଓ ଇଂରାଜୀରେ ଏକା ସହ ନିର୍ମିତ ହୋଇଥିବାବେଳେ ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ମଧ୍ୟ ଡବିଂ ହୋଇଛି । ବିଶ୍ୱବ୍ୟାପୀ ଏହା ଜୁଲାଇ ପହିଲା, ୨୦୨୨ରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.