ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ପ୍ରତିଷ୍ଠା ଦିବସ ନଭେମ୍ବର ୭ ତାରିଖରେ ପାଳିତ ହୋଇଥାଏ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ଏହି ଦିବସର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଜାତୀୟ ବରିଷ୍ଠ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ ଗାଇଡ କମିଶନର ରାଧାକାନ୍ତ ଛତ୍ରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାର ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକରେ ଏହି ଦିବସକୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜରିଆରେ କରିଛନ୍ତି । ପ୍ରଥମ ଦିବସରେ ଭାରତ ତୁଝେ ସଲାମ, ଭାରତବାସୀଙ୍କୁ କୋଟି ପ୍ରଣାମ ଏହି ନାରା ଦେଇ କେଉଁଠି ସାଇକେଲ ରାଲି, କେଉଁଠି ପଦଯାତ୍ରା ତ ଆଉ କେଉଁଠି ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି । ମହିଳା ସଶକ୍ତିକରଣ, ଏକତା, ଅଖଣ୍ଡତା ରକ୍ଷା କରିବା ପାଇଁ ପରସ୍ପର ମଧ୍ୟରେ ସହଯୋଗୀ ମନୋଭାବ ରଖିବା ଆଦି ଉପରେ ଗୁରୁତ୍ଵ ଦିଆଯାଇଥିଲା । ପ୍ରତିଷ୍ଠା ଦିବସର ଉଦ୍ଯାପନୀ ଦିବସରେ ଅତାବିରା ନୋଡାଲ ବିଦ୍ୟାଳୟରେ ସଚେତନତା ରାଲି, ଜିଲ୍ଲାସ୍ତରୀୟ ସମାଗମ ଓ ପରିଶେଷରେ ଅତାବିରା ଓ ଭେଡେନ ବ୍ଲକର ସ୍କାଉଟ୍ ମାଷ୍ଟର, ଗାଇଡ କ୍ୟାପଟେନ ତଥା ସ୍କାଉଟ୍ ଓ ଗାଇଡମାନଙ୍କୁ ନେଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମାଳୟା ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍କାଉଟ ଗାଇଡ ସମ୍ପାଦକ ତଥା ଶାରୀରିକ ଶିକ୍ଷା ଓ ଖେଳ ନିରୀକ୍ଷକ ଆଶୁତୋଷ ଦେ’ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ସର୍ବଧର୍ମ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଗାଇଡ କ୍ୟାପଟେନ ସରମା ନାଏକ, ପୁଷ୍ପଲତା ନାଏକ, ଲକ୍ଷ୍ମୀ ମହାପାତ୍ର, ଗିରିଜା ପ୍ରଧାନ, ସ୍କାଉଟ୍ ମାଷ୍ଟର କିଶୋର ସାହୁ, ଲବ ସାହୁ, ସୁଧାଂଶୁ ସାହୁ, ବିଶ୍ଵନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଦିବସର ଦ୍ଵିତୀୟ ପର୍ଯ୍ୟାୟରେ ସ୍କାଉଟ୍ ଗାଇଡମାନଙ୍କ ପାଇଁ ଅନଲାଇନ ପଞ୍ଜିକରଣ କାର୍ଯ୍ୟକ୍ରମ ଓ ଏଠି ନିମନ୍ତେ କର୍ମଶାଳାର ଆୟୋଜନ ହୋଇଥିଲା । ଏହା ବ୍ୟତୀତ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଏଥିରେ ସାମିଲ କରିବା ପାଇଁ ଆଜିଠାରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଏହି ପଞ୍ଜିକରଣ ଚାଲୁ ରହିବ । ଏହି ପଞ୍ଜିକରଣ ପାଇଁ କମ୍ପ୍ୟୁଟର ଡାଟା ଅପରେଟର ଭାବରେ ସ୍କାଉଟ ମାଷ୍ଟର ରମେଶ ସେଠ୍ ଓ ଭବାନୀ ଶଙ୍କର ସାହୁଙ୍କୁ ଜିଲ୍ଲା ସ୍ତରରୁ ନିଯୁକ୍ତି କରାଯାଇଛି । ଏହାପରେ ଜନ ସଚେତନତା ପାଇଁ ସ୍କାଉଟ ଗାଇଡମାନଙ୍କୁ ନେଇ ଏକ ସାଇକେଲ ରାଲି କରାଯାଇଥିଲା । ଭେଡେନ ତଥା ଅତାବିରା ବ୍ଲକର ସମସ୍ତ ସ୍କାଉଟ୍ ମାଷ୍ଟର ଗାଇଡ କ୍ୟାପଟେନ ଏଥିରେ ଅଂଶ ଗ୍ରହଣ କରିଥିଲେ ।