ନରସିଂହଙ୍କ ପ୍ରେସ୍‌ ବିବୃତିି : ଗରିବର ଶତ୍ରୁ ମୁଁ ନୁହେଁ, ଗରିବର ଶତ୍ରୁ ରାଜ ପରିବାର

  • ଧନୀ ଜମି ଜବର ଦଖଲକାରୀଙ୍କ ସ୍ୱାର୍ଥ ପାଇଁ ଗରିବଙ୍କୁ ଅସ୍ତ୍ର କରିଛି ସ୍ଥାନୀୟ ବିଜେଡି – ନରସିଂହ
  • ସରକାରର ଜମି ଜବର ଦଖଲକାରୀ ବିଲ କେବଳ ମୋର ବିରୋଧ ଯୋଗୁଁ ଆଇନରେ ପରିଣତ ହୋଇ ପାରିଲା ନାହିଁ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡି ପକ୍ଷରୁ ରେଲି କରାଯାଇ ବିଧାୟକ ନରସିଂହଙ୍କ ଉପରେ ‘ଗରିବଙ୍କ ଶତ୍ରୁ’ ଭଳି ଆରୋପ ଲଗାଯିବା ପରେ ଜବାବ ରଖିଛନ୍ତି ବିଧାୟକ ଶ୍ରୀ ମିଶ୍ର । ଏକ ପ୍ରେସ୍‌ ବିବୃତିରେ ସେ କହିଛନ୍ତି ଯେ, ଗରିବଙ୍କ ଶତ୍ରୁ ମୁଁ ନୁହେଁ, ଗରିବଙ୍କ ପ୍ରକୃତ ଶତ୍ରୁ ହେଉଛନ୍ତି ରାଜ ପରିବାର କାରଣ ରାଜାକୁ ଲୋକେ ନିର୍ବାଚିତ କରି ନଥାନ୍ତି, ସେମାନେ ଲୋକଙ୍କୁ ଅତ୍ୟାଚାର କରି ବଳ ପୂର୍ବକ ରାଜ ଗାଦି ଦଖଲ କରିଥାନ୍ତି । ଆଉ ଯଦି ଗରିବଙ୍କ ଥଇଥାନର କଥା ଉଠେ ତେବେ, ବିସ୍ଥାପିତ ହେବାକୁ ଥିବା ୪୧୭ଜଣ ଲୋକ ମାନବାଧିକାର କମିଶନ ଆଗରେ ମକଦ୍ଦମା କରିଥିଲେ । ମାନବାଧିକାର କମିଶନ ଏହାକୁ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ସେଥି ମଧ୍ୟରୁ କେବଳ ୧୩୮ ଜଣ ଥଇଥାନ ହେବାକୁ ଯୋଗ୍ୟ ବିବେଚିତ ଗରିବ ହିତାଧିକାରୀ ଥିଲେ । ମାନବାଧିକାର ଆୟୋଗଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏହି ୧୩୮ ଜଣ ଗରିବଙ୍କୁ ସ୍ଥାନୀୟ ବିଷ୍ଣୁମୁଣ୍ଡା ଅଂଚଳରେ ଥଇଥାନ କରା ସରିଛି । ଏହାକୁ ମାନବାଧିକାର କମିଶନ ଏବଂ ତାଙ୍କ ଓକିଲ ମଧ୍ୟ ଠିକ ବୋଲି ଦଶାଇଛନ୍ତି । ତେଣୁ ବାକି ୨୭୯ଜଣ ଗରିବ ନୁହେଁ ଧନୀ ଲୋକ ବୋଲି ଜିଲ୍ଲାପାଳଙ୍କ ରିପୋର୍ଟ ସୁଚାଉଛି । ମାନବାଧିକାର କମିଶନ ନିଜେ ଧନୀ ଜବର ଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ପୌରାଧିକାରୀ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି । ଯେତେବେଳେ ବିଧାନ ସଭାରେ ଜମି ଜବର ଦଖଲକାରୀଙ୍କ ବିରୁଦ୍ଧରେ ୭ ବର୍ଷ ଜେଲ ତଥା ଜରିମାନାର ବିଲ ଅଣାଯାଇଥିଲା । ତାକୁ ଜଣେ ମାତ୍ର ବିଧାୟକ ଭାବରେ ମୁଁ କେବଳ ବିରୋଧ କରିଥିଲି । ତତ୍‌କାଳୀନ ମନ୍ତ୍ରୀ ଶ୍ରୀ ରାଉତ ରାଏଙ୍କୁ ଏହି ଦଣ୍ଡ ବିଧାନରୁ ଗରିବ ଭୂମିହୀନଙ୍କୁ ବାଦ୍‌ ଦେଇ ସେମାନଙ୍କ ଥଇଥାନର ବ୍ୟବସ୍ଥା ଉକ୍ତ ବିଲ୍‌ରେ ଯୋଡିବାକୁ କହିଥିଲି । ମନ୍ତ୍ରୀ ଉକ୍ତ ସଂଶୋଧନ ସ୍ୱୀକାର କରିଥିବା ସତ୍ୱେ ପରଦିନ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ଦଫ୍‌ତର୍‌ ଗରିବଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୁଁ ଆଣିଥିବା ସଂଶୋଧନକୁ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବିନା ସଂଶୋଧନରେ ଏହି ବିଲ୍‌ଟି ରାଜ୍ୟପାଳଙ୍କ ପାଖକୁ ଯାଇଥିଲା । ଗରିବଙ୍କ ସ୍ୱାର୍ଥ ରକ୍ଷା ବିରୁଦ୍ଧରେ ଏହି ଜମି ଜବର ଦଖଲ ବିଲ ବିରୁଦ୍ଧରେ ବିଧାନସଭାରେ ମୋର ଲଢେଇ ଯୋଗୁଁ ସରକାରୀ ଜମୀ ଜବର ଦଖଲକାରୀଙ୍କୁ ୭ ବର୍ଷ ଜେଲ ଓ ଜରିମାନା ବିଲ୍‌ଟି ରାଜ୍ୟପାଳଙ୍କ ପାଖରେ ଅନୁମୋଦନ ନପାଇ ଏହି ବିଲ୍‌ ଆଇନରେ ପରିଣତ ହୋଇ ପାରିଲା ନାହିଁ । ଏବେ ଲୋକେ କୁହନ୍ତୁ ଗରିବ ଭୂମିହୀନଙ୍କ ଶତ୍ରୁ ମୁଁ ନା ଖୋଦ ବିଜେଡି ସରକାର । ଠିକ ସେହିପରି ସୂର୍ଯ୍ୟନଗର ଓ ମେଡିକାଲ କଲେଜ ପାଖରେ ଥିବା ବସ୍ତି ଅଂଚଳରୁ ମଧ୍ୟ ପ୍ରଶାସନ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଓ ଲୋୟର ସୁୁକତେଲ ପାଇଁ ଦରକାର ହେଉଥିବା ସରକାରୀ ଜମିରୁ ଗରିବଙ୍କୁ ହଟାଇବା ସମୟରେ ମୋର ହସ୍ତକ୍ଷେପ ଫଳରେ ସେମାନଙ୍କୁ ତତ୍‌କାଳ ଉଚ୍ଚେଦରୁ ଆଶ୍ୱସ୍ତି ମିଳିଥିଲା । ଏପରିକି କରଙ୍ଗାକଣ୍ଟାରୁ ଗରିବ ପରିବାରମାନେ ବିସ୍ଥାପନ ହୋଇଥିବା ଲୋକେ ମୋର ଉଦ୍ୟମରେ ଘର ଜମି ପାଇପାରିଛନ୍ତି । ଏଥିରୁ ବଲାଙ୍ଗିରବାସୀ ଜାଣନ୍ତୁ ଗରିବର ପ୍ରକୃତ ବନ୍ଧୁ ନରସିଂହ ମିଶ୍ର ନା ସରକାରୀ ଜମିରେ ବସତି ସ୍ଥାପନ କରିଥିବା ଗରିବ ଜନସାଧାରଣଙ୍କ ବିରୁଦ୍ଧରେ କଡା ଆଇନ ଆଣିଥିବା ବିଜେଡି ସରକାର ଓ ତାଙ୍କ ମନ୍ତ୍ରୀଗଣ । ଆଉ ଯଦି କଥା ଉଠେ ସଂସ୍କୃତି ଭବନ ଗଣ୍ଡଗୋଳର ତେବେ ସେହି ମହିଳା କାଉନସିଲର ଜଣକ ନିଜ ହାତର ଚୁଡି ନିଜେ ଟେବୁଲ ଉପରେ ବାଡେଇ ଭାଙ୍ଗିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମ ତଥା ବୈଦ୍ୟୁତିକ ଗଣମାଧ୍ୟମରେ ଦେଖି ଲୋକେ ସ୍ପଷ୍ଟ ହୋଇ ସାରିଲେଣ । ସ୍ଥାନୀୟ ରାଜ ପରିବାରଙ୍କ ଦରବାରୀ ବିଜେଡି ନେତାମାନେ ୧୦ ହଜାର, ୨୦ ହଜାର ବର୍ଗଫୁଟ ଜମି ନିଜେ ଦଖଲ କରି ଆନ୍ଦୋଳନ ପାଇଁ ଗରିବଙ୍କୁ ଅସ୍ତ୍ର କରୁଛନ୍ତି । ଏପରିକି ସେହି ଅଂଚଳରେ ଅନେକ ବିତ୍ତଶାଳୀ ସରକାରୀ ଜମି ଜବର ଦଖଲକାଗରିବଙ୍କ ଦରବାରୀ ନିରିହ ଗରିବଙ୍କ ନାଁରେ ଘୃଣ୍ୟ ରାଜନୀତି କରୁଛନ୍ତି । ଏଥିରୁ ବଲାଙ୍ଗିରବାସୀ ଜାଣି ରଖନ୍ତୁ ଯେ, ଗରିବଙ୍କ ଶତ୍ରୁ ମୁଁ ନୁହେଁ, ଗରିବଙ୍କ ଅସଲ ଶତ୍ରୁ ବିଜେଡି ରାଜ ପରିବାର, ସରକାର ଏବଂ ବିଜେଡିର ସ୍ଥାନୀୟ ଜମି ଜବର ଦଖଲକାରୀ ନେତା ଗଣ ବୋଲି ଆଜି ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜଣାଇଛନ୍ତି ।

Leave A Reply

Your email address will not be published.