
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ଥାନା ପଛ ପଟେ ବସ୍ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଏକ ପିକ୍ଅପ୍ ଭ୍ୟାନ୍ର କାର୍ଯ୍ୟରତ ଶ୍ରମିକକୁ ସିନାପାଲି-ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ (ଓଡ଼ି ୦୮ଏମ୍ ୩୮୯୯) ଆଘାତ ଦେବା ଫଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଟା ସମୟରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗଗ୍ରାମ ପବନ ଅଗ୍ରୱାଲଙ୍କ ପିକ୍ଅପ୍ ଭ୍ୟାନ୍ ( ଓଡ଼ି ୦୮ ସି ୧୦୩୪) ଏକ ଦୋକାନରେ ସାମଗ୍ରୀ ଅନ୍ଲୋଡ୍ କରି ଠିଆ ହୋଇଥିଲା । ମୃତକ ଜଣକ ଭ୍ୟାନ୍ର ପଛ ଗେଟ୍ ବନ୍ଦ କରୁଥିବା ବେଳେ ବସ୍ ମାଡ଼ି ଆସିଥିଲା । ବସ୍ର ଆଘାତରେ ଶ୍ରମିକ ଜଣକ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କର ଗଳାରେ ବସ୍ର ଡିକି କବାଟ ଲାଗିଯିବାରୁ ଗଲା କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଯେହେତୁ ପୂର୍ବରୁ ବସ୍ର ଡିକି କବାଟ କୌଣସି କାରଣ ବଶତଃ ଖୋଲି ଯାଇଥିଲା । ଖବର ପାଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୃତକ ଜଣକ ମହାଲିଙ୍ଗ ଗ୍ରାମର ପାର୍ଥବ କେତକୀ (୪୦) ବୋଲି ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଏକ ବ୍ୟବସାୟିକ ଭ୍ୟାନ ଦୋକାନ ସାମଗ୍ରୀ ନେଇ ସିନାପାଲିକୁ ଆସିଥିଲା । ଥାନା ପଛପଟ ଦୋକାନ ମାନଙ୍କରେ ସାମଗ୍ରୀ ଅନଲୋଡ଼ କରୁଥିବା ବେଳେ ହଠାତ ଅଘଟଣ ଘଟିଥିଲା । ମୃତକ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ପୁଅଝିଅ ଥିବା ସୂଚନା ମିଳିଛି ।