
- ମୟୂରଭଞ୍ଜ ମହୋତ୍ସବ କମିଟି ପକ୍ଷରୁ ସ୍ମରଣୀୟ କାର୍ଯ୍ୟକ୍ରମ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ମାଟିର ସୁଯୋଗ୍ୟ ସନ୍ତାନ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ତୁତିରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ୍ଜ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ସମ୍ମୁଖ ରଥ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ସବୁଦିନ ପାଇଁ ସ୍ୱରଣୀୟ ହୋଇରହିବ । ମୟୂରଭଞ୍ଜ ମହୋତ୍ସବ କମିଟିର ପ୍ରଥମ ଅଧ୍ୟକ୍ଷ ସ୍ୱର୍ଗତ ଉତ୍ତମ ମହାନ୍ତି ବିୟୋଗରେ ତାଙ୍କ ଜନ୍ମ ମାଟିରେ ଜାତି, ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ପରେ ଜିଲ୍ଲାର ଉତ୍ତମ ପ୍ରେମୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ତୁତିଚାରଣ କରିଥିଲେ । ଉତ୍ତମଙ୍କ ବଡଭାଇ ଅଶୋକ ମହାନ୍ତି, ନାଟ୍ୟକାର ଧୀର ବସା, ଅଭିନେତା ସ୍ୱରାଜ ବାରିକ, ଜିଲ୍ଲା ଓକିଲ ସଂଘର ସଭାପତି ବିଭୁପ୍ରସାଦ ଦାସ, ବହଡାଗୋଡାର ପୂର୍ବତନ ବିଧାୟକ କୁନାଲ ଷଡ଼ଙ୍ଗୀ, ଶରତ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ଦାସ, ପ୍ରୀତିଶ ବସା, ଶ୍ୟାମସୁନ୍ଦର ଦାସ, ବାମନଘାଟି ସାଂସ୍କୃତିକ ପରିଷଦର ଆବାହକ ସୌରଭ ପଟ୍ଟନାୟକ, ଯୋଗେନ୍ଦ୍ର ପଣ୍ଡା, କୁଞ୍ଜବନ ପୃଷ୍ଟି, ସଞ୍ଜୟ ଚୌଧୁରୀ, ପଦ୍ମନାଭ ସାହୁ, ଡ ପୁଷ୍ପି ପାତ୍ର, ପଣ୍ଡିତ ଭାଗବତ ପଣ୍ଡା, ଦିଲ୍ଲୀପ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଅଭିନିତ ଚଳଚିତ୍ରର ବ୍ୟାନର ପ୍ରଦର୍ଶନ ସହିତ ଏଲଇଡି ସ୍କ୍ରିନରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତିଙ୍କ ଟିମ୍ (ଗୀତସାଗର ମ୍ୟୁଜିକାଲ ସନ୍ଧ୍ୟା)ରେ ଉତ୍ତମଙ୍କ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ଅଧ୍ୟାପକ ରଣଜିତ ଓ ଖୁସି ମଞ୍ଚ ପରିଚାଳନା କରିଥିଲେ । ମୟୂରଭଞ୍ଜ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବର୍ଷିଆନ ଅଭିନେତା ଅସିତ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଭାପତି ତଥା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ତଥା ସିନେ ପ୍ରଯୋଜକ ସଂଜୀବ ଦ୍ୱିବେଦୀ ଏବଂ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ବିପ୍ଳବ ଭଞ୍ଜନ ବୁଗୁଡେଇ, ତାପସ ପାଢ଼ୀ, ରାକେଶ କୁମାର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ବୋଲି ମହୋତ୍ସବ କମିଟିର ମୁଖପାତ୍ର ସତ୍ୟଜିତ ସୋମ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।