ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ : ୨ ମନ୍ତ୍ରୀଙ୍କ ଉପସ୍ଥିତରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜାଲେଶପଟ୍ଟା ଆଶ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରମ ଅନ୍ତେବାସୀମାନେ ସୂର୍ଯ୍ୟପୂଜା ଓ ତିଳ ତର୍ପଣ କରି ରାହୁଲ ନଦୀ ଜଳେଶ୍ୱର ମନ୍ଦିର ନିକଟରୁ ପବିତ୍ର ଜଳ ଆଣି ସ୍ୱାମୀଜୀଙ୍କ ପ୍ରତିମୂତ୍ତି ପର୍ଯ୍ୟନ୍ତ କଳସ ଯାତ୍ରା କରି ଆଣିଥିଲେ । ଏହା ପରେ ସ୍ୱାମୀଜୀଙ୍କ କକ୍ଷରେ ପୂଜାର୍ଚ୍ଚନା କରିଥିଲେ । ଗୋ ପୂଜା, ସୂର୍ଯ୍ୟ ପୂଜା, ଗୀତା ପାଠ, ନାମ ସଂକୀର୍ତ୍ତନ ଓ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା । ସ୍ୱାମିଜୀ ବ୍ୟବହାର କରୁଥିବା କଠଉ, ବଙ୍କୁଲି ବାଡି, ଗଡୁ, ସମେତ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ପୁସ୍ତକ ଗୁଡିକୁ ଫୁଲଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଓଡ଼ିଶାର ପଞ୍ଚାୟତିରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ପଞ୍ଚାୟତିରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାକାନ୍ତ ମଲିକ, ଜଲେଶପଟ୍ଟା ଆଶ୍ରମ ପରିଚାଳକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସମ୍ପାଦିକା ସଧ୍ୟରାଣୀ ପାଣିଗ୍ରାହୀ, କୋଟଗଡ଼ ସ୍ଥିତ ଆଶାରାମ ବାପୁ ଆଶ୍ରମ ପରିଚାଳକ ଯୋଗୀରାଜ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ମଞ୍ଚରୁ ସ୍ୱାମୀ ମୁକ୍ତାନନ୍ଦ ପୁରୀ ମହାରାଜ କହିଥିଲେ ରାଜ୍ୟ ସରକାର ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ, ଖୁବ ଶୀଘ୍ର ପାଣିଗ୍ରାହୀ କମିଶନ ଓ ନାଇଡୁ କମିଶନ ସାର୍ବଜନୀନ କରିବାକୁ ଦାବୀ କରିଛନ୍ତି । ଏହା ସହ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ବନବାସୀମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରିବାକୁ କହିଛନ୍ତି । ମନ୍ତ୍ରୀ ଦ୍ୱୟ ପ୍ରତିଶୃତି ଦେଇ କହିଛନ୍ତି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ୱପ୍ନ ବନବାସୀମାନଙ୍କୁ ଚାଷ କରି ସ୍ୱାବଲମ୍ବୀ ଓ ଉତ୍ତମ ଗୃହିଣୀ ନିର୍ମାଣ କରିବା ଲକ୍ଷ୍ୟକୁ ପୂରଣ କରାଯିବ । ସ୍ୱାମୀଜୀଙ୍କ ବଳିଦାନ ବ୍ୟର୍ଥ ଜୀବକୁ ଦିଆଯିବ ନାହିଁ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଭଗବାନ ମହାନ୍ତି, ମାନଗୋବିନ୍ଦ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା, ପ୍ରକାଶ ସୁବୁଦ୍ଧି, ରାଜ କିଶୋର ପାଢ଼ୀ, ହୀରଲାଲ ପ୍ରଧାନ, ପ୍ରକାଶ କୁମାର ସାହୁ, ମୁରଲୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ କନ୍ଧମାଳ ଜିଲ୍ଲାପାଳ ଋତୁରାଜ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋଏଲ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ଥିଲେ । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିଲେ । ସଭା ସରିବା ପରେ ୨ ମନ୍ତ୍ରୀଙ୍କୁ ଛାତ୍ରୀ ଓ ଅନ୍ତେବାସୀମାନେ ରାଖୀ ବାନ୍ଧିଥିଲେ । ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ସ୍ଥିତ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ଵାରା ପ୍ରତିଷ୍ଠିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ କିଛି ଅତତାୟୀ ସ୍ୱାମୀଜୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.