ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପଞ୍ଚାୟତ ସମିତି ପରିସରରେ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ ସଂଘର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ନେଇ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷ କରି ସରପଞ୍ଚମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କ କଥାକୁ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାର ଗୁରୁତ୍ଵ ଦେଉନଥିବା ଓ ଅନେକ ପ୍ରକଳ୍ପ ସରପଞ୍ଚ ମାନଙ୍କ ବିନା ଅନୁମୋଦନରେ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସେ ଭଳି ଅନେକ କର୍ମଚାରୀ ସରପଞ୍ଚମାନଙ୍କୁ କୌଣସି ପ୍ରକାର ଗୁରୁତ୍ଵ ଦେଉନଥିବା ବେଳେ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ କରି ନ ପାରିବାରୁ ନିର୍ବାଚିତ ହୋଇଥିବା ସରପଞ୍ଚ ମାନେ ସାଧାରଣ ଭୋଟର ମାନଙ୍କ ରୋଷର ଶିକାର ହେଉଛନ୍ତି ବୋଲି ମତ ପ୍ରକାଶ ପାିଛି । ତେବେ ଏ ସବୁକୁ ଚେକ୍ ଦେବା ପାଇଁ ଗଠନ ହୋଇଛି ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ । ଏଥିରେ ଭଟଲି ବ୍ଲକ୍ ଉର୍ଦୁନା ସରପଞ୍ଚ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପ ସଭାନେତ୍ରୀ ଭାବେ ଗାଇସିଲେଟ ବ୍ଲକ୍ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଓ ବିଜେପୁର ବ୍ଲକ୍ ଯୋଖିପାଲି ସରପଞ୍ଚ ସବିତା ସାହୁ, ସମ୍ପାଦକ ପଦ୍ମପୁର ବ୍ଲକ୍ କଂସର ସରପଞ୍ଚ ଆନନ୍ଦ ବେହେରା, ଯୁଗ୍ମ ସମ୍ପାଦକ ସୋହେଲା ବ୍ଲକ୍ ସିରିଗିଡା ସରପଞ୍ଚ ଲୋକେଶ ସାହୁ, କୋଷାଧ୍ୟକ୍ଷ ଅତାବିରା ବ୍ଲକ୍ ଜାଙ୍ଗେଡ ସରପଞ୍ଚ ଭାଗବତିଆ ସିଂ ମନୋନୀତ ହୋଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ମାତ୍ରାରେ ସରପଞ୍ଚ ମାନେ ଯୋଗଦେଇ ବିଭିନ୍ନ ଦିଗରେ ଆଲୋଚନା କରିଥିବା ବେଳେ ଆଗାମୀ ଦିନରେ ସାଧାରଣ ଲୋକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସଂଘ ବିଭିନ୍ନ ବ୍ଲକକୁ ଯାଇ ସେହି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନର ବାଟ ଫିଟାଇବା ପାଇଁ ସଂଘ ନିଷ୍ପତି ନେଇଛି । ଏହି କାର୍ଯ୍ୟକ୍ରମକୁ ବରଗଡ଼ ବ୍ଲକ୍ ସରପଞ୍ଚ ସଂଘ ପରିଚାଳନା କରିଥିବା ବେଳେ ବୈଠକ ପରିଶେଷରେ ନିରଞ୍ଜନ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.