ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ : ଘଟଣାର ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଲେ ବଲାଙ୍ଗିର ଜିଲ୍ଲାପାଳ
ବଲାଙ୍ଗିର : ବଲାଙ୍ଗିରରେ ସରପଞ୍ଚ ନିଲାମୀ ପ୍ରସଙ୍ଗ ସାରା ଓଡ଼ିଶାରେ ଆଲୋଚନାର ବିଷୟ ପାଲଟି ଥିବାବେଳେ ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ ଯାଇ ନିଲାମ ପଛର ସତ କଣ ତାହା ଅନୁଧ୍ୟାନ କରିଥିଲେ ଓ ଗାଁର ଲୋକମାନଙ୍କୁ ଘଟଣା ସଂପର୍କରେ ପଚରାଉଚୁରା କରିଥିଲେ । ଏହାପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ସେପଟେ ବିଲେଇସର୍ଡାରେ ସରପଞ୍ଚ ପଦ ନିଲାମ ନେଇ ସାମ୍ନାକୁ ଆସୁଛି ଚାଂଚଲ୍ୟକର ତଥ୍ୟ । ଘଟଣା ଦିନ ୨୧ ଲକ୍ଷ ଟଙ୍କାରୁ ଡାକ ଆରମ୍ଭ ହୋଇ ୪୪ ଲକ୍ଷ ଟଙ୍କାରେ କୁଆଡେ଼ ମାମଲା ଛିଣ୍ଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଲେଇସର୍ଡାରେ ସରପଞ୍ଚ ପଦ ପାଇଁ ହୋଇଥିବା ନିଲାମୀ ବାବଦରେ ଗଣମାଧ୍ୟମରେ ଖବର ଆସିବା ପରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।