ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା : ୨ ଗିରଫ, କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ରାତିରେ ସର୍ଗିଗୁଡା ନିବାସୀ ବିରଞ୍ଚି ସାହୁଙ୍କ ହଠାତ୍ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ପରିବାରବର୍ଗ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବିରଞ୍ଚି ସାହୁଙ୍କୁ ମୃତ ଘୋଷଣା କରିଥିଲେ । ତା’ପରେ ଡାକ୍ତରଙ୍କୁ ତାଙ୍କ ଚୌକିରୁ ଡାକି ଆଉ ଥରେ ଚେକ୍‌ କରନ୍ତୁ ବୋଲି ତାଙ୍କ ପରିବାରବର୍ଗ କହିଥିଲେ । ଡ଼ାକ୍ତର ଗୌରବ ପଣ୍ଡା ପୁଣି ବିରଞ୍ଚି ସାହୁ ମୃତ ହୋଇସାରିଲେଣି ବୋଲି କହିବାରୁ ଉତ୍‌କ୍ଷୀପ୍ତ ହୋଇ ଡାକ୍ତର ଗୌରବ ପଣ୍ଡାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଟିଟିଲାଗଡ଼ ଥାନାରେ ଡାକ୍ତର ଗୌରବ ପଣ୍ଡା ଓ ପ୍ରଶାନ୍ତ କୁମାର ତ୍ରିପାଠୀ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଟିଟିଲାଗଡ଼ ପୋଲିସ ସ୍ୱର୍ଗତ ବିରଞ୍ଚି ସାହୁଙ୍କ ୨ ପୁଅ ଶୁଭେନ୍ଦୁ ପ୍ରସାଦ ସାହୁ ଓ ମନିଷ କୁମାର ସାହୁଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ବିଶ୍ୱଜିତ ମନବୋଧ ସୁଚନା ଦେଇଛନ୍ତି । ତେବେ ଭାଗ୍ୟର ବିଡମ୍ବନା ଦେଖନ୍ତୁ ପିତାଙ୍କ ଜୀବନ ଗଲା ଅନ୍ୟ ପଟେ ୨ ପୁଅ ଡାକ୍ତରଙ୍କୁ ମାଡ଼ ମାରି ଜେଲ୍‌ ଗଲେ । ସତେ ଯେମିତି ଦୁର୍ଭାଗ୍ୟ ଗୋଡ଼ାଇ ଗୋଡ଼ାଇ ଦୁଃଖ ଦେଉଛି । ବୋଝ ଉପରେ ନଳିତା ବିଡା ସଦୃଶ ବିରଞ୍ଚି ସାହୁଙ୍କ ପରିବାରବର୍ଗ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.