
ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୫ ତାରିଖରେ ଓଡ଼ିଶା ସରକାର କ୍ୟାବିନେଟ୍ କମିଟି ସହରୀ ବିକାଶ ଯୋଜନାରେ ଅତିରିକ୍ତ ୬୦୦୦ କୋଟି ଖର୍ଚ୍ଚ କରିବା ପାଇଁ ମଞ୍ଜୁର କରିଛନ୍ତି । ଅର୍ଥନିତୀର ବିକାଶ ସହ ଦାରିଦ୍ର୍ୟ ଦୂରୀକରଣ ତଥା କର୍ମନିଯୁକ୍ତି ପାଇଁ ସହରର ବିକାଶ ଅପରିହାର୍ଯ୍ୟ । ଓଡ଼ିଶାରେ ମାତ୍ର ୧୭ ପ୍ରତିଶତ ସହରରେ ବାସ କରନ୍ତି ଯାହାକି ଜାତୀୟ ହାର ୩୭ ପ୍ରତିଶତଠାରୁ କମ୍ । କେନ୍ଦ୍ର ସରକାର ମଧ୍ୟ ବଜେଟ୍ରେ ସହର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଯଥେଷ୍ଟ ବ୍ୟୟ ବରାଦ କରିଛନ୍ତି । ଭୁବନେଶ୍ୱରକୁ ଛାଡ଼ି ଦେଲେ ରାଉରକେଲା ଏକମାତ୍ର ସ୍ମାର୍ଟ ସହରର ମାନ୍ୟତା ପାଇବା ସହ ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ବହନ କରୁଥିବା ଏକ ଶିଳ୍ପ-ବାଣିଜ୍ୟ-ଶିକ୍ଷା ଇତ୍ୟାଦିରେ ସମୃଦ୍ଧ ସହର । ଓଡ଼ିଶା ସରକାରଙ୍କ ଚଳିତ ବର୍ଷର ବଜେଟ୍ ତଥା ଉପରୋକ୍ତ ବ୍ୟୟବରାଦ ରାଶିରୁ ରାଉରକେଲା ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳର ବିକାଶ ପାଇଁ ଏଠାରେ ବାସଗୃହ, କଲ୍ୟାଣ ମଣ୍ଡପ, ସଭାଗୃହ, ପ୍ରଦର୍ଶନୀ ସ୍ଥଳ, ଟାଉନ୍ହଲ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ କଂପ୍ଲେକ୍ସ ଭେଣ୍ଡିଂଜୋନ୍, ଶୀତଳ ଭଣ୍ଡାର, ଇ.ଭି ଚାର୍ଜିଂ ଷ୍ଟେସନ୍, ପର୍ଯ୍ୟଟନ ସ୍ଥଳର ବିକାଶ ଇତ୍ୟାଦି ସ୍ଥାପନ କରିପାରନ୍ତି । ଏହା ବ୍ୟତୀତ ଶ୍ରମବୃଦ୍ଧି ପାଇଁ ପାର୍କ, ମୁକ୍ତାକାଶ, ବ୍ୟାୟାମଶାଳା, ଶିଶୁକ୍ରୀଡ଼ା ଉଦ୍ୟାନ, ଚଲାପଥ, ଖେଳପଡ଼ିଆ, ସାଂସ୍କୃତିକ ଓ ଧାର୍ମିକ ସ୍ଥଳର ବିକାଶ, ବର୍ଷାଜଳ ଅମଳ ସଂରଚନା, ଜଳାଶୟ ଇତ୍ୟାଦି ପ୍ରକଳ୍ପ ନିର୍ମାଣ କରାଯାଇପାରେ । ଉଦାହରଣ ସ୍ୱରୂପ ଜଗଦାରେ ମାର୍କେଟ କଂପ୍ଲେକ୍ସ ଓ ଷ୍ଟାଡ଼ିୟମ, ଛେଣ୍ଡରେ ସଭାଗୃହ /ଟାଉନ୍ହଲ, ଛେଣ୍ଡ-ବରଟୋଲିରେ ଆମ ବସ୍ ଡିପୋ, ରାଉରକେଲା ବସ୍ଷ୍ଟାଣ୍ଡର ସଂପ୍ରସାରଣ, ଛେଣ୍ଡ/ବାସନ୍ତୀକଲୋନୀ ରେ କଲ୍ୟାଣ ମଣ୍ଡପ, ଲଜିଷ୍ଟିକ୍ ପାର୍କ ଇତ୍ୟାଦିର ସଫଳ ରୂପାୟନ କରିପାରନ୍ତି । ସହରରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସେଥିରେ ଅଧିକ ଭିତ୍ତିଭୂମି ମଧ୍ୟ ସୃଷ୍ଟିକରି ପାରନ୍ତି । ଆଗାମୀ ଦିନରେ ରାଜଗାଙ୍ଗପୁର, ବିରମିତ୍ରପୁର, ବିଶ୍ରା, ଲାଠିକଟାକୁ ନେଇ ବୃହତ୍ତର ରାଉରକେଲା ଗଠନ କରିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ମଧ୍ୟ ସରକାର ପ୍ରସ୍ତୁତ କରନ୍ତୁ । ଉପରୋକ୍ତ ଦାବି ସମୂହର ସଫଳ ରୂପାୟନ ପାଇଁ ଏହି ମର୍ମରେ ଥିଂକର୍ସ ଫୋରମର ଆବାହକ ନଳିନୀକାନ୍ତ ଧର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରେରଣ କରିବା ସହ ସହର ବିକାଶ, ଶ୍ରମ, ପର୍ଯ୍ୟଟନ ଇତ୍ୟାଦି ଅନ୍ୟ ବିଭାଗୀୟ ମନ୍ତ୍ରୀ ସହ ସାଂସଦ ଓ ବିଧାୟକଙ୍କର ସ୍ମାରକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।