
- ରଶ୍ମିପ୍ରଭା ଓ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ
ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ଭାଷାରେ ପ୍ରଥମ ଗେଜେଟିୟର ଜଣେ ଇଂରେଜ ପ୍ରକାଶନ କରିଥିଲେ । ଅନ୍ୟକୁ ସମାଲୋଚନା ନ କରି ନିଜର କାର୍ଯ୍ୟ ମାଧ୍ୟମରେ ଆଲୋଚନାର ବିଷୟ ହୁଅନ୍ତୁ ବୋଲି ରଶ୍ମିପ୍ରଭା ଓ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି । ରାଉରକେଲା ସହରର ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଭବନ ପରିସରରେ ରଶ୍ମିପ୍ରଭା ସାହିତ୍ୟ ଓ ସାମାଜିକ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବରେ ଶ୍ରୀ ନାୟକ ଯୋଗଦେଇ ରାଉରକେଲା ହେଉଛି ସାହିତ୍ୟ ଓ ସଂସ୍କୃତିର ନଗରୀ ବୋଲି କହିଛନ୍ତି । ବରିଷ୍ଠ ଶିକ୍ଷକ ତଥା ସାମାଜିକ କର୍ମୀ ରାଧାକାନ୍ତ ମହାରଣାଙ୍କ ଅଧ୍ୟକ୍ଷତା ଏବଂ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ଅଶ୍ୱିନୀ ରାୟ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ସାହିତ୍ୟକୁ ପତ୍ରପତ୍ରିକାର ଅବଦାନ ଶୀର୍ଷକ ପ୍ରସଙ୍ଗରେ ଦୀର୍ଘ ୨୦୦ ବର୍ଷ ଧରି ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ସମ୍ବାଦପତ୍ର ଓ ବିଭିନ୍ନ ପତ୍ରପତ୍ରିକାର ଅବଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ସାଧୁସୁନ୍ଦର ଦାସଙ୍କ ପ୍ରଥମ ହାତଲେଖା କୁଜିବର ସମ୍ବାଦପତ୍ରରୁ ନେଇ ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଦୈନିକ ଆଶା ଓ ଦୈନିକ ସମାଜ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରଚାର ସମ୍ପର୍କରେ ଡ. ରାୟ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ବରିଷ୍ଠ ଲେଖକ ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଯୋଗଦେଇ ରଶ୍ମିପ୍ରଭା ସଂସ୍ଥା ଦ୍ୱାରା କରାଯାଉଥିବା ସାରସ୍ୱତ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଉଦ୍ଘାଟକ ଭାବେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଏବଂ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର ପ୍ରତିଷ୍ଠାତା ଶଶଧର ପଣ୍ଡା ଯୋଗଦେଇ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟିକମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ରଶ୍ମିପ୍ରଭା ଅନୁଷ୍ଠାନର ସମ୍ପାଦକ ତଥା ସାହିତ୍ୟିକ ମନୋଜ ନନ୍ଦ ଅନୁଷ୍ଠାନର ଆରମ୍ଭ ଓ କ୍ରମବିକାଶ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ରାଉରକେଲା ସହରର ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ରାଉରକେଲାର ମହିଳା ଉଦ୍ୟୋଗୀ ନିହାରିକା ବସ୍ତିଆ ଓ ଲେଖିକା ନିରୁପମା ନାୟକ ଏବଂ ମମତା ଜେନା, ସମ୍ବଲପୁରର – ଡ. ପ୍ରଦୀପ କୁମାର ପଣ୍ଡା ଓ ଡ. ଭାରତୀ ଦାଶ, ଯାଜପୁରର ଇଂ ସୂର୍ଯ୍ୟକାନ୍ତ ଜେନା, ଦିବାକର ଦାସ ଓ ନିବେଦିତା ପଣ୍ଡା, ସୁନ୍ଦରଗଡ଼ରୁ ଝରଣା ତନ୍ତି, ଜଗତସିଂହପୁରରୁ ରଶ୍ମିତା ନାୟକ, କେନ୍ଦ୍ରାପଡ଼ାରୁ ନିକୁଞ୍ଜ ବିହାରୀ ଦାଶ, ବରଗଡ଼ରୁ ଡ. ଡୋଲାମଣି ସତପଥୀ ପ୍ରମୁଖଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ରଶ୍ମିବାଳା ରାଉତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଗୀତାରାଣୀ ବେହେରା ଓ ମମତା ଜେନା । ଏହା ସହିତ ଏହି ଅବସରରେ ରଶ୍ମିପ୍ରଭା ତ୍ରୟମାସିକ ପତ୍ରିକା ସହିତ, ପ୍ରତାପ ପଣ୍ଡାଙ୍କ କବିତା ସଂକଳନ କଳାଭୂଇଁ, ବନଲତା ମିଶ୍ରଙ୍କ କବିତା ସଂକଳନ ମାଳିନୀ, ନିକୁଞ୍ଜ ବିହାରୀ ଦାଶଙ୍କ ନାଟକ ମଶାଣି ତୁଳସୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ତିନୋଟି ପୁସ୍ତକକୁ ଯଥାକ୍ରମେ ତାରିଣୀ ଚରଣ ସାହୁ, ସୁସ୍ମିତା ମହାପାତ୍ର ଓ ବିଜୟିନୀ ଜେନା ସମୀକ୍ଷା କରିଥିଲେ । ଶେଷରେ ଉପେନ୍ଦ୍ର ପସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ତ୍ରିଲୋଚନ ମଥାନ, ରଘୁବର ଧଳ, ରଙ୍କନିଧି ସେଠୀ, କଳ୍ଫନା ନନ୍ଦ, ମନୋଜ କୁମାର ଭୋଇ, ସରତ କୁମାର ସୁତାର, ଦିପ୍ତି ମହାନ୍ତି, ମଞ୍ଜୁଳା କୁମାରୀ ରଥ, ପ୍ରବୀର କୁମାର ଦୁବେ, ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।