ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଲି ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଓ ବକ୍ତା ଭାବରେ ଶ୍ରୀମତୀ ଅନୁପମା ବେହେରା, ତାଳପାଲି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ତଥା ପୂର୍ବତନ ପରିଚାଳନା ସମିତି ସଦସ୍ୟା ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର, ଭେଉଁରିଆ ଏସ୍ଏଚ୍ଜି ଗ୍ରୁପର ସଦସ୍ୟା ଯୋଗ ଦେଇଥିଲେ । ସୁଶ୍ରୀ ମିନତୀ ପଟ୍ଟନାୟକ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ସଙ୍ଗୀତା ବିଶି ମାତୃ ଭାରତୀର ସମ୍ପାଦକ ଉଦ୍ଦେଶ୍ୟ କଥନ କହିଥିଲେ । ଅନୁପମା ବେହେରା ୧୬ ଟି ସଂସ୍କାର, ଭାରତୀୟ ସଂସ୍କୃତିକୁ ଆପଣେଇବାକୁ, ସମାଜରେ ଓ ପରିବାରରେ ନାରୀର ମହତ୍ତ୍ଵ, ପଞ୍ଚ ଯଜ୍ଞ, ଭାରତର ସଂସ୍କୃତି ଓ ପରମ୍ପରା, ଶିଶୁ ଗଠନରେ ପରିବାରର ଭୂମିକା, ସ୍ୱଦେଶୀ ଖାଦ୍ୟ ଗ୍ରହଣ କରିବା, ପର୍ଯ୍ୟାବରଣ ସୁରକ୍ଷାରେ ନାରୀର ଭୂମିକା ଆଦି ବିଷୟରେ ମାର୍ଗଦର୍ଶନ କରିଥିଲେ । ଶ୍ରୀମତୀ କଲ୍ୟାଣୀ ମିଶ୍ର ବରିଷ୍ଠ ଗୁରୁମା ଭାରତ ବିକାଶରେ ମହିଳାଙ୍କ ଭୂମିକା, ନାରୀର ୭ଟି ଗୁଣ, ସଂଯୁକ୍ତ ପରିବାରର ମହତ୍ତ୍ଵ, ଶିଶୁର ଲାଳନ ପାଳନରେ ମା’ର ଭୂମିକା, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ମୋବାଇଲର ଖରାପ ପ୍ରଭାବ ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର ନାରୀର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସଂକଳ୍ପ କଥନ ଶ୍ରୀମତୀ ସୁଜାତା ତ୍ରିପାଠୀ ଗୁରୂମା କହିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ମମତା ଗଡତିଆ ଗୁରୁମା ସଂଯୋଜନା କରିଥିବା ବେଳେ ଶ୍ରୀମତୀ ସୁଷମା ବିଶ୍ଵାଳ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ମୀନତି ପଟ୍ଟନାୟକ ଗୁରୁମାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ବୁଧାପାଲି, ଫଟାମୁଣ୍ଡା ଗ୍ରାମର ଗ୍ରାମବାସୀ ତଥା ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।