ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପୋଲିସ ଆଜି ଆଉଥରେ ତାର ପେଶାଦାର ଦକ୍ଷତା ଓ ସତର୍କତା ଦେଖାଇ ଏକ ବଡ଼ ଅପରାଧ ମାମଲାରେ ସଫଳତା ହାସଲ କରିଛି । ଗତ ଅକ୍ଟୋବର ୧୭ ତାରିଖରେ କୁଆବାଉଁଶ ଗାଁର ରମାକାନ୍ତ ସରାଫଙ୍କ ଘରୁ ହୋଇଥିବା ଡକାୟତି ମାମଲାରେ ଜଡିତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ଏହି ସଫଳ ଅଭିଯାନ ବଲାଙ୍ଗିର ଜିଲ୍ଲା ପୋଲିସ ଅଧିକ୍ଷକ ଅଭିଳାଷ ଜିଙ୍କ ନିର୍ଦ୍ଦେଶରେ, ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଜାରୀଙ୍କ ତତ୍ତ୍ୱାବଧାନରେ ଓ ଆଇଆଇସି ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ଗଠିତ ବିଶେଷ ଟିମ ଦ୍ୱାରା ପରିଚାଳିତ ହୋଇଥିଲା । ତଦନ୍ତ ପରେ ଡକାୟତ ମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ସୁନା ଚେନ, ହଳେ କର୍ଣ୍ଣଫୁଲ, ୫ଟି ମୋବାଇଲ ଫୋନ, ଜମିଜମା ଦଲିଲ, ଏକ ହଜାର ଟଙ୍କା ଓ ୨ଟି ଛୁରୀ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏସ୍ଡିପିଓ ଶ୍ରୀ ପୂଜାରୀଙ୍କ ମାଧ୍ୟମରେ ହୋଇଥିବା ପ୍ରେସନୋଟରେ ସେ ଜଣାଇଛନ୍ତି — “ପୋଲିସ ଦଳର ଦୃଢ଼ ପ୍ରୟାସ, ସଠିକ ତଦନ୍ତ ଓ ସଂଘବଦ୍ଧ ଉଦ୍ୟମ ଫଳରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସମ୍ଭବ ହୋଇଛି । ଲୋକଙ୍କ ସହଯୋଗ ଓ ଆସ୍ଥାରେ ଆମେ ଆଉ ଦୃଢ଼ ଭାବେ ଅପରାଧ ବିରୋଧରେ ଲଢିବୁ । ଏହି ଅଭିଯାନ ପାଟଣାଗଡ଼ ପୋଲିସର ସତର୍କତା, ଦାୟିତ୍ୱବୋଧ ଓ ସାହସର ଅସାଧାରଣ ଉଦାହରଣ । ସ୍ଥାନୀୟ ଲୋକ ଓ ବିଭିନ୍ନ ସମାଜ ସଂଗଠନ ମଧ୍ୟ ପୋଲିସର ଏହି ସଫଳତାକୁ ସ୍ୱାଗତ କରି, ତାଙ୍କ ପ୍ରଶଂସା କରିଛନ୍ତି ।