sss
lll

୨୦୨୪ : ଭାରତୀୟ କୂଟନୀତି ପାଇଁ ଉଲ୍ଲେଖନୀୟ ସଫଳତାର ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ କୂଟନୀତି ପାଇଁ ବର୍ଷ ୨୦୨୪ ବେଶ ଉଲ୍ଲେଖନୀୟ ଥିଲା, ଯାହାକି ବିଶ୍ୱର ଏକ ପ୍ରମୁଖ ଶକ୍ତିଭାବେ ଭାରତର ସ୍ଥିତିକୁ ମଜବୁତ କରିଥିଲା । ଏହିବର୍ଷ ବିଭିନ୍ନ ଅନ୍ତର୍ଜାତୀୟ ନେତାଙ୍କୁ ଆତିଥେୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପର୍ଯ୍ୟନ୍ତ ଭାରତ ବିଶ୍ୱ ମଞ୍ଚରେ ନିଜର ପ୍ରଭାବ ବୃଦ୍ଧି କରିଚାଲିଛି । ତେବେ ୨୦୨୪ରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ କୂଟନୈତିକ ସଫଳତାମାନ ଗତ ୧୦ ବର୍ଷର ନିରବଚ୍ଛିନ୍ନ ଉଦ୍ୟମର ଫଳ । ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ର ବାଲାକୋଟ ଏୟାରଷ୍ଟ୍ରାଇକ ପରି କଠୋର ପଦକ୍ଷେପ ହେଉ ଅଥବା କୋଭିଡ ମହାମାରୀ ସମୟରେ ଭାକ୍ସିନ ମୈତ୍ରୀ ପରି ସହାୟତାର ହାତ ହେଉ, ଭାରତ ପ୍ରମାଣିତ କରିଛି ଯେ ଏହା ସଂକଳ୍ପ ଓ ସହାନୁଭୂତିର ସହ ନେତୃତ୍ବ ନେବାକୁ ପ୍ରସ୍ତୁତ । କୂଟନୈତିକ ଦୃଷ୍ଟିକୋଣରୁ ବର୍ଷ ୨୦୨୪କୁ ଭାରତ ପାଇଁ ଏକ ସଫଳ ବର୍ଷ ବୋଲି କୁହାଯାଇପାରିବ । ଏହି ବର୍ଷ ଭାରତ କୂଟନୈତିକ କ୍ଷେତ୍ରରେ ବିଭିନ୍ନ ମାଇଲଖୁଣ୍ଟ ଅତିକ୍ରମ କରିବା ସହ କେତେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲା ।
ବିଶ୍ୱର ପ୍ରମୁଖ ଶକ୍ତିମାନଙ୍କ ସହ ଭାରତ ନିଜର ସଂପର୍କ ସୁଦୃଢ କରିଚାଲିଛି । ୨୦୨୪ ଜାନୁଆରି ୨୬ ଗଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକାରନ ମୁଖ୍ୟ ଅତିଥି ହୋଇଥିଲେ । ତାପୂର୍ବରୁ ୨୦୨୩ ଜୁଲାଇରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ବାସ୍ତାଇଲ୍ ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇଥିଲେ । କତରରୁ ମୁକ୍ତ ହେଲେ ୮ ପୂର୍ବତନ ନୌସେନାଧିକାରୀ ୨୦୨୪ରେ ଭାରତ ଏକ ବଡ଼ କୂଟନୈତିକ ବିଜୟ ହାସଲ କରିଥିଲା ଯେତେବେଳେ କତର ସରକାର ସେଠାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଥିଲା । ଏସବୁ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ କତରର ଏମିର ଶେଖ ତମିମ ବିନ ହମଦ ଅଲ-ଥାନିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ ।
ଭାରତର ଜଳ କୂଟନୀତି
ଐତିହାସିକଭାବେ ଭାବେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏକ ନିଷ୍କ୍ରିୟ ଆଭିମୁଖ୍ୟ ଗ୍ରହଣ କରିଚାଲିଥିଲା । ଏସବୁ ଜଳ ସଂପଦ ଉପରେ ନିଜର ଯଥେଷ୍ଟ ଅଧିକାର ଥିବା ସତ୍ୱେ ଭାରତ ନିଜର ସଂପୂର୍ଣ୍ଣ ଅଧିକାରର ଉପଯୋଗ କରୁନଥିଲା । ତେବେ ରାବି ନଦୀ ଉପରେ ଶାହପୁର କାଣ୍ଡି ବ୍ୟାରେଜ ନିର୍ମାଣ ହେବା ପରେ ଭାରତ ବଳକା ଜଳକୁ ପାକିସ୍ତାନକୁ ପଠାଇବା ବନ୍ଦ କରିଦେଇଛି ଓ ତାହାକୁ ଜମ୍ମୁ ଓ କଶ୍ମୀରରେ ଜଳସେଚନ କାମ ପାଇଁ ବ୍ୟବହାର କରାଯାଉଛି । ଏହି ପଦକ୍ଷେପ ମାଧ୍ୟମରେ ଭାରତ ଜଳକୁ କୂଟନୈତିରେ ଏକ ଅସ୍ତ୍ରଭାବେ ବ୍ୟବହାର କରିଛି । ଏହା ଭାରତର ଦୃଢ କୂଟନୀତିକୁ ଦର୍ଶାଉଛି ଯାହାକି ଆତଙ୍କବାଦୀ ସହ ସଂପର୍କିତ ଜାତୀୟ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ବୁଝାମଣା
୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ନିଜର ସାମରିକ ସ୍ଥିତିକୁ ସୁଦୃଢ କରିବା ସହ ସାମରିକ ଭିତ୍ତିଭୂମି ନିର୍ମାଣକୁ ବି ତ୍ୱରାନ୍ୱିତ କରିଚାଲିଛି । ୨୦୨୦ରେ ହୋଇଥିବା ଗଲୱାନ ସଂଘର୍ଷ ପରେ ଭାରତ ଓ ଚୀନ ସଂପର୍କ ଖରାପ ହୋଇଥିଲା ଓ ତାହାକୁ ଦୃଷ୍ଟିରେ ରଖି ଭାରତ ନିଜର ସେନା ମୁତୟନ ବଢାଇଥିଲା ଓ ଭିତ୍ତିଭୂମିକୁ ଉନ୍ନତ କରିବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିଲା । ତେବେ ୨୦୨୪ରେ ଭାରତ ଓ ଚୀନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଥିଲା, ଯାହା ପରଠାରୁ ଉଭୟ ପକ୍ଷ ଏଲ୍‌ଏସିରୁ ନିଜର ସେନା ପ୍ରତ୍ୟାହାର କରିବା ସହ ଦେପସାଙ୍ଗ ଓ ଡେମଚୋକରେ ପେଟ୍ରୋଲିଂ ଆରମ୍ଭ କରିଥିଲେ ଓ ସ୍ଥିତିକୁ ୨୦୨୦ ମେ ପୂର୍ବ ସ୍ଥିତିକୁ ନେଇଯାଇଥିଲେ ।
ଭାରତ : ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ ଉଦ୍ୟମ
ଏହା ଯୁଦ୍ଧର ସମୟ ନୁହେଁ ବୋଲି ଜାତିସଂଘରେ ଭାରତର ଆଭିମୁଖ୍ୟକୁ ସମଗ୍ର ବିଶ୍ୱ ଗ୍ରହଣ କରିଥିଲା । ଏହି ଆଭିମୁଖ୍ୟକୁ ପାଳନ କରି ଭାରତ ବିଗତ କିଛି ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରିଥିଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ପାଇଁ ଭାରତ ଏକ ମଧ୍ୟସ୍ଥି ହୋଇପାରିବ । ଶାନ୍ତି ପାଇଁ ଉଦ୍ୟମ ଜାରି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ମଧ୍ୟଭାଗରେ ରୁଷ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ ଓ ଏହାର କିଛି ଦିନ ପରେ ୟୁକ୍ରେନ ଗସ୍ତ କରିଥିଲେ । ସମଗ୍ର ବିଶ୍ୱରେ ଭାରତକୁ ବିଶ୍ୱ ଗୁରୁଭାବେ ଦେଖାଯାଉଛି ଯାହାକି ଦୁଇ ପକ୍ଷର ଦେଶଙ୍କ ସହ ସମାନ ସଂପର୍କ ରକ୍ଷା କରିପାରୁଛି । ଜୁନ ୯, ୨୦୨୪ରେ ନୂଆ ସରକାର ଗଠନ କରିବା ପରେ ଭାରତ ୩ୟ ଭଏସ ଅଫ ଗ୍ଲୋବାଲ ସାଉଥ୍ ସମ୍ମିଳନୀ ଆୟୋଜନ କରିଥିଲା । ଚଳିତ ବର୍ଷ ଇଟାଲିର ଆପୁଲିଆଠାରେ ଅନୁଷ୍ଠିତ ୫୦ତମ ଜି-୭ ସମ୍ମିଳନୀରେ ବି ଭାରତ ଯୋଗ ଦେଇଥିଲା । ୩ୟ ଥରର ପାଇଁ ସରକାର ଗଠନ ପରେ ଏହା ଥିଲା ଶ୍ରୀ ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ ଥିଲା ।
ମାନବୀୟ ସହାୟତା କାର୍ଯ୍ୟ
୨୦୨୪ରେ ଭାରତ କେତେକ ମାନବୀୟ ସହାୟତାମୂଳକ ଓ ଉଦ୍ଧାର କାର୍ଯ୍ୟ ସଫଳତାର ସହ କରିଥିଲା । ଅପରେସନ ଇନ୍ଦ୍ରାବତୀ ମାଧ୍ୟମରେ ହାଇତି ଓ ଡୋମିନିକାନ ରିପବ୍ଲିକରୁ ଭାରତୀୟ ନାଗରୀକଙ୍କୁ ଉଦ୍ଧାର କରାଯାଇଥିଲା । ଅପରେସନ ସଦାଶିବ ଅଧିନରେ ଲାଓସ, ମିଆଁମାର ଓ ଭିଏତନାମରେ ବିପର୍ଯ୍ୟୟ ପୀଡିତଙ୍କୁ ଉଦ୍ଧାର ଓ ମାନବୀୟ ସହାୟତା ଯୋଗାଇ ଦିଆଯାଇଥିଲା । ଡିସେମ୍ବର ୧୦, ୨୦୨୪ରେ ଭାରତ ସିରିଆରୁ ନିଜର ୭୫ ନାଗରିକଙ୍କୁ ଉଦ୍ଧାର କରିଥିଲା । ଭାରତ ଦ୍ୱାରା ଇରାନର ଚାବାହାର ବନ୍ଦରର ବିକାଶକୁ ଚୀନ ପ୍ରଭାବର ମୁକାବିଲା ରୂପେ ଦେଖାଯାଉଛି । ଏହି ବନ୍ଦରର ସାହଦ ବେହେସ୍ତି ଟର୍ମିନାଲର ବିକାଶ ଓ ପରିଚାଳନା ପାଇଁ ମେ ୧୩, ୨୦୨୪ରେ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ (ଆଇପିଜିଏଲ୍‌) ଇରାନର ପୋର୍ଟସ ଏଣ୍ଡ ମାରିଟାଇମ ଅର୍ଗାନାଇଜେସନ (ପିଏମ୍‌ଓ) ସହ ଏକ ଦୀର୍ଘମିଆଦୀ ଚୁକ୍ତି କରିଥିଲା । ଭାରତ ଦ୍ୱାରା କୌଣସି ବିଦେଶୀ ବନ୍ଦର ସଂପୂର୍ଣ୍ଣ ପରିଚାଳନାର ଏହା ହେଉଛି ପ୍ରଥମ ଘଟଣା । ଏହା ଦ୍ୱାରା ଇରାନ, ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆ ସହ ଭାରତର ବାଣିଜ୍ୟ କାରବାର ବୃଦ୍ଧି ପାଇବ ।
ଭାରତ-ମାଳଦ୍ୱୀପ ସଂପର୍କରେ ସୁଧାର
‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇ ମହମ୍ମଦ ମୁଇଜୁ ମାଳଦ୍ୱୀପରେ କ୍ଷମତାକୁ ଆସିବା ପରେ ଭାରତ ସହ ଏହି ଦେଶର ସଂପର୍କ ଖରାପ ହୋଇଥିଲା । ତେବେ ଅକ୍ଟୋବର ୬-୧୦, ୨୦୨୪ରେ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ଗସ୍ତ ପରେ ଦ୍ୱିପାକ୍ଷିକ ସଂପର୍କ ପୁଣି ସ୍ୱାଭାବିକ ହୋଇଛି ଓ ମାଳଦ୍ୱୀପକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଭାରତର ଦୃଢ ଓ ସକ୍ରିୟ କୂଟନୀତି ଯୋଗୁଁ ସମ୍ଭବ ହୋଇଛି । ଚଳିତ ବର୍ଷ ୱାସିଂଟନରେ ଅନୁଷ୍ଠିତ କ୍ୱାଡ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ଏହି ଅବସରରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱଚ୍ଛ ଅର୍ଥନୀତି ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ଐତିହାସିକ ବିଦେଶ ଗସ୍ତ କରିଥିଲେ । ସେପ୍ଟେମ୍ବର ମାସରେ ସେ ବ୍ରୁନେଇ ଦାରୁସ୍ଲାମ ଗସ୍ତ କରିଥିଲେ ଯାହାକି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଗସ୍ତ ଥିଲା । ସେହିପରି ୫୬ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଗୁଏନା ଗସ୍ତ କରିଥିଲେ । ସେହିପରି ଶ୍ରୀ ମୋଦୀ ୪୧ ବର୍ଷ ପରେ ପୋଲାଣ୍ଡ ଓ ୪୫ ବର୍ଷ ପରେ ଅଷ୍ଟ୍ରିଆ ଗସ୍ତ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ତର୍ଜାତୀୟ ସମ୍ମାନ
୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅନ୍ତର୍ଜାତୀୟ ସମ୍ମାନ ପଇଛନ୍ତି । ତାମଧ୍ୟରେ ରହିଛି ରୁଷର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପଷ୍ଟଲ, ଯାହାକୁ ମୋଦୀ ଜୁଲାଇ ୨୦୨୪ରେ ଗ୍ରହଣ କରିଥିଲେ । ସେହିପରି ଶ୍ରୀ ମୋଦୀ ଡୋମିନିକା, ନାଇଜେରିଆ, ବାର୍ବାଡୋସ ଓ ଗୁଏନାର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ସାଂସ୍କୃତିକ କୂଟନୀତି ପାଇଁ ବି ବର୍ଷ ୨୦୨୪ ଉଲ୍ଲେଖନୀୟ ଥିଲା । ଏହି ବର୍ଷ ଦୁବାଇରେ ଏକ ଭବ୍ୟ ହିନ୍ଦୁ ମନ୍ଦିର ଉଦ୍‌ଘାଟନ ହୋଇଥିଲା । ସେହିପରି ନଭେମ୍ବର ୧୫ରେ ଆମେରିକା ଭାରତକୁ ପ୍ରାୟ ୧୪୦୦ ଟି ଅପହୃତ କଳାକୃତିକୁ ଫେରସ୍ତ କରିଥିଲା ।

Leave A Reply

Your email address will not be published.