ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ୨୦୨୬ ଜାନୁଆରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ତିନିଦିନିଆ ଇନୋଭେସନ, ଡିଜାଇନ ଏବଂ ଏଣ୍ଟରପ୍ରିନରସିପ୍ (ଆଇଡ଼ିଇ) ବୁଟ୍କ୍ୟାମ୍ପ୍ ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜାନୁଆରୀ ୯ ତାରିଖ ଅପରାହ୍ନ ୪ଟା ୩୦ ସମୟରେ ବିପିୟୁଟିର ଛେଣ୍ଡ କ୍ୟାମ୍ପସ ସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲର ଆଞ୍ଚଳିକ ସଂଯୋଜକ ବିଭମ ବ୍ୟାସ, ୱାଧୱାନି ଫାଉଣ୍ଡେସନର ବିଶେଷଜ୍ଞ ଶ୍ରୀମତୀ ଗୌରୀ ମଦନ ଏବଂ ବିପିୟୁଟିର କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ବିଭମ ବ୍ୟାସ ପ୍ରକାଶ କରିଥିଲେ ଯେ, ଶିକ୍ଷକମାନେ ଏହି ବୁଟ୍କ୍ୟାମ୍ପରୁ ଶିଖିଥିବା ଜ୍ଞାନ ଓ କୌଶଳକୁ ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ଅନୁଯାୟୀ ଶ୍ରେଣୀଗୃହର ଶିକ୍ଷାଦାନରେ ପ୍ରୟୋଗ କରିବେ । ପ୍ରଫେସର ଅମିୟ କୁମାର ରଥ ସଫଳତାର ସହ ବୁଟ୍କ୍ୟାମ୍ପ୍ ସମାପ୍ତ କରିଥିବା ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହା ଏକ ଅର୍ଥପୂର୍ଣ୍ଣ ବୃତ୍ତିଗତ ଶିକ୍ଷଣ ଅନୁଭୂତି ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ବିଦ୍ୟାଳୟଗୁଡ଼ିକ ହିଁ ଶିକ୍ଷାର୍ଥୀଙ୍କ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇବାର ପ୍ରଥମ ସୋପାନ । ଶ୍ରୀମତୀ ଗୌରୀ ମଦନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପିଏମ୍ଶ୍ରୀ ସ୍କୁଲର ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ନବସୃଜନ ଏବଂ ଉଦ୍ୟୋଗ ପରିବେଶ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଶ୍ରୀମତୀ ନିଶି ପୁନମ ମିଞ୍ଜ ଶିକ୍ଷକମାନଙ୍କୁ ସକ୍ରିୟ ଭାବେ ନିଜର ଶିକ୍ଷଣକୁ ଅଭିନବ ଶିକ୍ଷାଦାନ ପଦ୍ଧତିରେ ପରିଣତ କରିବାକୁ ଉତ୍ସାହିତ କରିଥିଲେ । ବୁଟ୍କ୍ୟାମ୍ପର ସମନ୍ୱୟକାରୀ ଡକ୍ଟର ମନୋଜ କୁମାର ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପର୍ଯ୍ୟାୟରେ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ମନୋନୀତ ରାଜ୍ୟର ୧୬ଟି ଜିଲ୍ଲାରୁ ମୋଟ ୧୮୮ ଜଣ ଅଧ୍ୟକ୍ଷ, ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଭାରତୀୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ଏବଂ ବିଶେଷ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା । ପିଏମ ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବ ବୃଦ୍ଧି କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ବିପିୟୁଟିର ଶିକ୍ଷା, ନବସୃଜନ ଏବଂ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ସହିତ ସମାନ । ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ନିର୍ଦ୍ଦେଶକ ଏବଂ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି ।