ସଫଳ ହେଲା ହର୍ଷବର୍ଦ୍ଧନର ଓପନ ହାର୍ଟ ସର୍ଜରୀ : ଆଇସିୟୁରୁ ଆସିଲେ ଜେନେରାଲ ୱାର୍ଡ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓପନ୍ ହାର୍ଟ ସର୍ଜରୀ ପରେ ଦୀର୍ଘ ପାଞ୍ଚ ଦିନଧରି କଟକ ବଡ଼ ଡ଼ାକ୍ତରଖାନା ଆଇସିୟୁରେ ଚିକିତ୍ସିତଥିବା ସୋନପୁରର ବାଳକ ହର୍ଷବର୍ଦ୍ଧନ (୧୫) ଆଜି ଜେନେରାଲ ୱାର୍ଡକୁ ଫେରିଛି । ତା’ର ସୁସ୍ଥତା ଯୋଗୁଁ ପରିବାର ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି । ମା’ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ସବୁ ଦେବାଦେବୀଙ୍କ ଆଶୀର୍ବାଦ ତଥା ସହରର ବିଭିନ୍ନ ସଙ୍ଗଠନର ପ୍ରାର୍ଥନା ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, କଟକ ଏସସିବିର କାର୍ଡିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଡାକ୍ତରୀ ଦଳଙ୍କ ପ୍ରଚେଷ୍ଟା ତଥା ସୋନପୁର ମାଟିରେ ଜନ୍ମ ଗ୍ରହଣ କରିଥିବା କଟକର ଜଣେ ସୁନାମଧନ୍ୟ ବରିଷ୍ଠ ଡାକ୍ତରଙ୍କ ପ୍ରଚେଷ୍ଟାରେ ଗତ ୨୯ ତାରିଖ ବୁଧବାର ଦିନ ହର୍ଷବର୍ଦ୍ଧନଙ୍କ ହାର୍ଟର ମେଜର ସର୍ଜରୀ ସଫଳ ହୋଇଥିଲା । ପୂର୍ବରୁ ବିଭିନ୍ନ ଘରୋଇ ମେଡିକାଲରେ ଚିକିତ୍ସା ଆରମ୍ଭ କରାଇ ଅପରେସନ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ନିରୀହ ହର୍ଷବର୍ଦ୍ଧନଙ୍କ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ । ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ଠାରୁ ଏହି ଖବରପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଏସପି ନାରାୟଣ ନାୟକ ଓ କଟକର ବରିଷ୍ଠ ଡାକ୍ତର, ସାମ୍ୱାଦିକଙ୍କ ସହ ହର୍ଷବର୍ଦ୍ଧନଙ୍କ ସୋନପୁର ବାସଭବନକୁ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ଦେଖି କଟକ ବଡ଼ ଡ଼ାକ୍ତରଖାନାର ଡାକ୍ତରୀ ଦଳ ସହ ଅପରେସନ ପାଇଁ ଅନେକ ଥର ଯୋଗାଯୋଗ ରଖି ଆସିଥିଲେ । ଶେଷରେ ହାର୍ଟ ଅପରେସନ ପାଇଁ କଟକ ମେଡିକାଲକୁ ପଠାଇବାକୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଅପରେସନ ଥିଏଟରକୁ ଯିବା ଆଗରୁ ହର୍ଷବର୍ଦ୍ଧନଙ୍କୁ ମା’ ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ଓ ମାଁ କଟକ ଚଣ୍ଡୀଙ୍କ ଆଶୀର୍ବାଦ କାମନା କରାଯାଇଥିଲା ଓ ଜିଲ୍ଲାପାଳ ମଧ୍ୟ ହର୍ଷବର୍ଦ୍ଧନଙ୍କୁ ଭିଡ଼ିଓ କଲ୍ ଜରିଆରେ ତା’ର ଶୁଭମନାସି ଅସ୍ତ୍ରୋପଚାରର ସଫଳତା କାମନା କରିଥିଲେ । ୨୯ ତାରିଖ ଅପରେସନ ବେଳେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ଉପ ସଭାପତି ରମଣୀ ରଂଜନ ଦାସ, ସଂପାଦକ ଦୁର୍ଯ୍ୟୋଧନ ମହାରଣା, ମାନସ ଓଝା ପ୍ରମୁଖ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତ୍ତା ପୁରା ସମୟ ଉପସ୍ଥିତ ରହି ଦାୟିତ୍ଵରେ ଥିବା ଡାକ୍ତରୀ ଦଳ ସହ ସାକ୍ଷାତ ଓ ଆଲୋଚନା କରିଥିଲେ । ମା’ ସୁରେଶ୍ଵରୀ ଏ ଡ଼ାକ୍ତରୀ ଟିମଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ ଜଣେ ଜଣେ ଧ୍ରୁବ ତାରା ଭଳି ଆଦର୍ଶ ହୋଇ ରୋଗୀ ସେବାରେ ସଫଳ ହୁଅନ୍ତୁ ଓ ଯଶ ଲାଭ କରନ୍ତୁ । ଜିଲ୍ଲା ପ୍ରଶାସନ, ଡାକ୍ତରୀ ଦଳର ଉଦ୍ୟମ ଓ ହର୍ଷବର୍ଦ୍ଧନଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ ଓ ପ୍ରାର୍ଥନା କରିଥିବା ସୋନପୁର ସହରର ସମସ୍ତ ସ୍ୱେଛାସେବୀ ଓ ଶିକ୍ଷା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ଚିରଦିନ କୃତଜ୍ଞ ରହିବ । ମା’ ସୁରେଶ୍ଵରୀ ଆଶୀର୍ବାଦ କରନ୍ତୁ ହର୍ଷବର୍ଦ୍ଧନ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରନ୍ତୁ ଓ ନିଜେ ହସି ସମସ୍ତ ଶୁଭେଛୁଙ୍କ ମୁହଁରେ ହସ ଫୁଟାନ୍ତୁ ବୋଲି ସମସ୍ତ ଶୁଭେଛୁ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.