ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ “ସାଧୁତାର ଶପଥ ପାଠ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ “ଦୁର୍ନୀତି ନିବାରଣ – ଆମ ସାମୂହିକ ଦାୟିତ୍ୱ” ପ୍ରସଙ୍ଗ ଆଧାରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ “ଶପଥ ପାଠ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବିଭିନ୍ନ ଅଧିକାରୀ, ପ୍ରତିନିଧି ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ପ୍ରଥମ ଦିବସରେ “ସାଧୁତାର ଶପଥ ପାଠ” କରାଇଥିଲେ । ଏହି ଅବସରରେ ଶ୍ରୀ ନାୟକ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କ ନିଜ ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ସମୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିଶ୍ଚିତ ଭାବେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସାମୁହିକ ପ୍ରଚେଷ୍ଟା ଦ୍ୱାରା ହିଁ ଦୁର୍ନୀତିର ମୁଳୋତ୍ପାଟନ ସମ୍ଭବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ଦୁର୍ନୀତି ଏମିତି ଏକ ବ୍ୟାଧି ଯାହାକି ଜଣକର ବ୍ୟକ୍ତିଗତ ଜୀବନ ସହିତ ସାମାଜିକ ଜୀବନକୁ ଏମିତି କ୍ଷତାକ୍ତ କରିଥାଏ ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ । ତେଣୁ ସେବା ପ୍ରଦାନ ସମୟରେ କୌଣସି ପ୍ରକାର ଲୋଭର ବଶବର୍ତ୍ତୀ ହୋଇ ଲାଞ୍ଚ ନେବା ଓ ଦେବା ଭଳି ବିକୃତ ମାନସିକତା ଠାରୁ ସର୍ବଦା ଦୂରେଇ ରହିବା ଉଚିତ ବୋଲି କହିଥିଲେ । କର୍ମ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନରେ ଦୁର୍ନୀତିକୁ ପରିହାର କରିବା ସହ ସେବା ପ୍ରଦାନ ସମୟରେ ଲୋକଙ୍କୁ କୌଣସି ପ୍ରକାର ହଇରାଣ ହରକତ ନକରି ସରକାରୀ ନିୟମର ଅନୁପାଳନ ପୂର୍ବକ ଧାର୍ଯ୍ୟ ସମୟ ମଧ୍ୟରେ ତ୍ୱରିତ ପ୍ରକ୍ରିୟାରେ ଲୋକଙ୍କୁ ସେବା ଯୋଗାଇ ଦେଲେ ସରକାରୀ ବ୍ୟବସ୍ଥା ଉପରେ ସାଧାରଣ ଜନତାଙ୍କ ଆସ୍ଥା ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରିପଦା ବନଖଣ୍ଡ ଅଧିକାରୀ, ବାରିପଦା ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ, ଜରୁରୀକାଳୀନ ଅଧିକାରିଣୀ, ଡିଇଜିଏମ୍‌ ଓସ୍ୱାନ, ଡେପୁଟି କଲେକଟର ଜେନେରାଲ ମିସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରିଣୀ, ଡେପୁଟି କଲେକଟର ରାଜସ୍ୱ, ଡେପୁଟି କଲେକଟର ନିର୍ବାଚନ, ଡେପୁଟି କଲେକଟର ଏଷ୍ଟାବ୍ଲିସମେଣ୍ଟ, ସହକାରୀ ଜିଲ୍ଲାପାଳ ନିଜ଼ାରତ, ଆର୍‌ଟିଓ ବାରିପଦା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.