
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାର ପ୍ରାୟୋଜିତ ସୁରତରଙ୍ଗର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁର ସପ୍ତରଙ୍ଗ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେୟାରର ସଭାପତି ସରୋଜ ମହାନ୍ତିଙ୍କ ସଭାପତିତ୍ୱ, ସୁରତରଙ୍ଗର ମୁଖ୍ୟ ଦିଲ୍ଲିପ କୁମାର ପରିଡ଼ାଙ୍କ ଆବାହକତ୍ଵ ଓ ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡର ଚିର ସବୁଜ କଣ୍ଠଶିଳ୍ପୀ ତାନସେନ ସିଂ । ତାଙ୍କ କଣ୍ଠରୁ ଯାହାକୁ ଏତେ ମୁଁ ଭଲପାଉଛି, ଝୁମୁକା ଟିକେ ତୁତ ହଲେଇ ଦେ, କାଉଧନ ଖାଇଲା ବୋଲି ମାଇଲୁ ମୋତେ, ମୁଁ ଯେ ଏକ ପାଗଳ ଭଅଁର ଆଦି ଗୀତ ଗୁଡ଼ିକୁ ଗାଇ ଶ୍ରୋତାଙ୍କୁ ୭୦-୮୦ ଦଶକକୁ ଫେରାଇ ନେଇଥିଲେ । ସେହିପରି ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଚାନ୍ଦ ନା ତୁମେ ତାରା ଯୁଗଳ ସଂଗୀତକୁ ତାନସେନ ସିଂ ଓ ଆରଏସପିର ସୂଚନା ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଗାଇ ଦର୍ଶକଙ୍କ ହୃଦୟକୁ ଜିଣିଥିଲେ । ଏହି ଅବସରରେ ସର୍ବଶ୍ରୀ ଦିଲ୍ଲିପ କୁମାର ପରିଡ଼ା, ନିବେଦିତା ସ୍ୱାଇଁ, ଜଗନ୍ନାଥ ସାହୁ, ବନୋଜ କୁମାର ଦାସ ଇତି ପଟ୍ଟନାୟକ, ଅନିରୁଦ୍ଧ ସାହୁ, ମୀନା ପଟ୍ଟନାୟକ, ଲୀନା ସେନାପତି, ମୀନାକ୍ଷୀ ମହାରଣା, ବିମଳ କୁମାର ସାହୁ, ମନୋଜ ମହନ୍ତ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଅନେକ ଚଳଚ୍ଚିତ୍ରର ସଂଗୀତ ଗାଇ ଶୁଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମାଜସେବୀ କମଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ତାନସେନ ସିଂଙ୍କୁ ଓଡ଼ିଆ ସ୍ୱାଭିମାନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବସନ୍ତ ସ୍ୱାଇଁ, ରବିନ୍ଦ୍ର ପଟ୍ଟନାୟକ, ସୁରେଶ ରାଉତରାୟ, ରାଜୀବ ନାୟକ, ଜନ୍ମଞ୍ଜୟ ରାଉତରାୟ, ଧର୍ମେନ୍ଦ୍ର ଦାଶ, ଶଶାଙ୍କ ପଟ୍ଟନାୟକ, ପ୍ରଦୀପ୍ତ ମହାନ୍ତି, ରାଜେଶ ଚୈ।ରାସିଆ ପ୍ରମୁଖ ସହଯୋଗ କରିଥିଲେ ।