
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ଵବନ୍ଦନୀୟା ମାଁ ତାରାତାରିଣୀଙ୍କ ପବିତ୍ର ଚୈତ୍ରପର୍ବ ଶାନ୍ତି ଶୃଙ୍ଖଳାର ସହ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହେଇଯାଇଛି । ମାଁ ତାରାତାରିଣୀଙ୍କ ଚୈତ୍ରପର୍ବର ଶେଷ ଚତୁର୍ଥ ପାଳି ମଧ୍ୟ ଭକ୍ତ ମାନଙ୍କ ପାଇଁ ଖୁବ୍ ଶୃଙ୍ଖଳିତ ଦର୍ଶନ ହୋଇଥିଲା । ମଙ୍ଗଳବାର ପ୍ରତଃ ୫ ଘଟିକା ସମୟରେ ଦ୍ଵାରା ଫିଟା, ଯଥା ରୀତିରେ ନୀତିକାନ୍ତି ସମ୍ପାଦିତ ହୋଇଥିବା ପରେ ଶେଷ ଚତୁର୍ଥ ପାଳି ମଙ୍ଗଳବାର ଦିନ ମାଁ ବାସନ୍ତୀକ ଦୁର୍ଗା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଶେଷ ଚତୁର୍ଥ ପାଳି ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବୀଙ୍କ ଦୁର୍ଲ୍ଲଭ ଦର୍ଶନ ଲାଭ କରି ଅତ୍ୟନ୍ତ ଭକ୍ତି ଭାବନାରେ ଖୁସିବ୍ୟକ୍ତ କରିଛନ୍ତି ଏବଂ ମନ୍ଦିର ବେଢ଼ା ପରିକ୍ରମା ପୂର୍ବକ ସମସ୍ତ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ନିଜ ମତ ଉପସ୍ଥାପନ କରି ଜଣାଇଥିଲେ ଯେ ଓଡ଼ିଶାରେ ହେବ ଶକ୍ତି କରିଡ଼ର । ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ ବୋଲି ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶିଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ ନେତା, ବିଧାୟକ ଉପସ୍ଥିତ ଥିଲେ । ଉପ-ମୁଖ୍ୟମନ୍ତ୍ରୀ ସମେତ ଦୁଇ ମନ୍ତ୍ରୀ, ସମସ୍ତ ବିଧାୟକ ଗଣ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରର ସେବାୟତ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ମାଁଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ମାଁଙ୍କ ନିକଟରେ ମୁଣ୍ଡିଆ ମାରି ଜଗତର କଲ୍ୟାଣ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ । ଓଡ଼ିଶାରେ ଏକ ଶକ୍ତି କରିଡ଼ର କରାଯିବ । ଏଥିମଧ୍ୟରେ ରହିବେ ଗଞ୍ଜାମର ମା’ ତାରାତାରିଣୀ, ମା’ ବିରଜା, ମା’ ଉଗ୍ରତାରା, ମା’ ଭଗବତୀ, ମା’ମଙ୍ଗଳା, ମା’ କାଳିଜାଇ, ମା’ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର ରାଜ୍ୟସରକାରଙ୍କ ଦ୍ଵାରା ଘୋଷଣା କରାଯିବ ବୋଲି କୁହାଯାଇଛି । ଜିଲ୍ଲାସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମା’ ତାରାତାରିଣୀ ପୀଠର ଉନ୍ନତି କରାଯିବ । ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବେ । ପୂଜା, ବରଦାନ ଓ ତପସ୍ୟା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ଆସିବେ । ତେଣୁ ପଂର୍ଯ୍ୟଟକମାନଙ୍କ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ସହ ତପସ୍ୟା ଠାରୁ ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ । ଏନେଇ ପର୍ଯ୍ୟଟନ ବିଭାଗ ନିଜର ଯୋଜନା ଆରମ୍ଭ କରିସାରିଛି । ଏହି ଅନୁସାରେ ପୂର୍ତ୍ତ ବିଭାଗ ମଧ୍ୟ ଐତିହ୍ୟର ବିକାଶ ପାଇଁ ବ୍ୟବସ୍ଥା କରୁଛି । ଏହି ସମସ୍ତ ଶକ୍ତି ପୀଠ ଗୁଡ଼ିକୁ ଆବଶ୍ୟକସ୍ଥଳେ ହେଲିକେପ୍ଟର ଯୋଗେ ସଂଯୋଗୀକରଣ ନେଇ ଦର୍ଶନୀୟ ସ୍ଥାନ ଭାବେ ଗମନାଗମନ ବ୍ୟବସ୍ଥାରେ ଯୋଜନା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସକାଳ ସମୟରେ ଅନୁସୂଚୀତ ଜାତି, ଜନଜାତି ତଥା ସଂଖ୍ୟା ଲଘୁ କେନ୍ଦ୍ରୀୟ ସଚିବ ଚନ୍ଦ୍ର ଶେଖର କୁମାର ମଧ୍ୟ ମାଁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଆଜି ମାଁଙ୍କ ପୀଠରେ ୨୨୧୫ ଜଣ ମାନସିକ ଧାରୀ ମୁଣ୍ଡନ କରିଥିବା ବେଳେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଭକ୍ତ ଅନ୍ନଯଜ୍ଞାରେ ପ୍ରସାଦ ସେବନ କରି ଆପ୍ୟାୟିତ ହୋଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି, ଉପ-ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ମନ୍ଦିର ଟ୍ରଷ୍ଟି ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ୍ୟ ଯୋଗଦେଇଥିଲେ ।