ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ବନସ୍ପତି ସର୍ଭେ ଦାବି ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଉଦ୍ଭିଦ ଓ ଔଷଧୀୟ ବନସ୍ପତି ଗୁଡ଼ିକର ପୁଣିଥରେ ସର୍ଭେ ହେବ । ଲୋକସଭାରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ପ୍ରତାପରାଓ ଯାଦବ । ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରାୟ ୨ ହଜାର ପ୍ରଜାତିର ବୃକ୍ଷଲତା ରହିଛି । ସେହିପରି ଏଠାରେ ୨୨୨ ପ୍ରକାର ଦୁର୍ଲଭ ଔଷଧୀୟ ବୃକ୍ଷ ରହିଥିବା ତଥ୍ୟ ରହିଛି । ତେବେ ଓଡ଼ିଶାର ପୂର୍ବତନ ସରକାର ଏହି ପାହାଡ଼ରୁ ଖଣି ଖନନ ଲାଗି ପ୍ରୟାସ ଆରମ୍ଭ କରିଥିଲେ, ଯାହାକୁ ସେତେବେଳେ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିଥିଲେ । ଫଳରେ ସରକାରଙ୍କୁ ଲୋକଙ୍କ ପ୍ରତିବାଦ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା । ଏବେ କେନ୍ଦ୍ର ସରକାର ଏହି ପାହାଡ଼ରେ ସର୍ଭେ କରିବା ସହ ପାଇକମାଳରେ ଥିବା ଆୟୁର୍ବେଦ ମହାବିଦ୍ୟାଳୟର ପରିଚାଳନା ଭାର ହାତକୁ ନେବା ପାଇଁ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଥିଲେ । ଏହାର ଜବାବରେ କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ ଗୃହରେ ସୂଚନା ଦେଇଥିଲେ ଯେ, ୨୦୦୯ ମସିହାରେ ଭାରତୀୟ ବନସ୍ପତି ସର୍ବେକ୍ଷଣ ସଂସ୍ଥା ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଭେ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଏହି ପାହାଡ଼ରେ ୯୧୨ ପ୍ରଜାତିର ଉଦ୍ଭିଦ ରହିଥିବା ବେଳେ ଏଥିରୁ ୩୪୫ ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ତେବେ ଓଡ଼ିଶା ସରକାରଙ୍କ ରିପୋର୍ଟ ଅନୁସାରେ, ଏଠାରେ ରହିଛି ୨୨୦ ପ୍ରଜାତିର ଔଷଧୀୟ ବୃକ୍ଷ । ଏହି ପାହାଡ଼ରେ ଆୟୁର୍ବେଦର ଭଣ୍ଡାର ରହିଥିବାରୁ ସେ ସଂପର୍କରେ ଅଧିକ ତଥ୍ୟ ହାସଲ ତଥା ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ ହେବାକୁ ପୁଣି ଥରେ ଏହାର ସର୍ଭେ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଲୋକସଭାରେ କହିଛନ୍ତି । ତେବେ ପାଇକମାଲ ଆୟୁର୍ବେଦ ମହା ବିଦ୍ୟାଳୟକୁ ଅଧିଗ୍ରହଣ କରିବା ପ୍ରସ୍ତାବ ଏବେ ଆୟୁଷ ମନ୍ତ୍ରାଳୟର ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.