ବରଗଡ଼ ଜିଲ୍ଲାକୁ ଭାରତର ସରକାରଙ୍କ ଦ୍ଵାରା ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ-୨୦୨୩ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହୋଦୟାଙ୍କ କରକମଳରେ ଭୂମି ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତର ଶ୍ରେଷ୍ଠ ଜିଲ୍ଲା ଗୁଡିକୁ ଭୂମି ସମ୍ମାନ ପ୍ରଦାନ କରାଯାଇଥିଲା । ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀଙ୍କ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହା ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଯଥା ଜମିର ପଟ୍ଟାର କମ୍ପ୍ୟୁଟରିକରଣ, ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ, ରୁମ୍ ପରିଚାଳନା ଓ ଜମି ଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପ୍ୟୁଟରିକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ବରଗଡ଼ ଜିଲ୍ଲାର ୧୨ଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବରଗଡ଼ ଜିଲ୍ଲାର ଡେପୁଟି କଲେକ୍ଟର ସଞ୍ଜିବ ମେହେର, ଅତିରିକ୍ତ ତହସିଲଦାର ଅତାବିରା ମୟୂରେଶ ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.