shyamal

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ୍‌ ବୁଲିବା ସହ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ ନଗରୀର ସେକ୍ଟର-୧୪ ଏଓବି ବ୍ଲକ୍‌ରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଉଦ୍‌ବେଗ ଜନକ ଭାବେ ବଢୁଥିବା ଖବର ପାଇ ସେହି ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକମାନଙ୍କ ସହ ଡେଙ୍ଗୁ ଉପରେ ସଚେତନତା ଜାଗ୍ରତ କରିଥିଲେ । ଲୋକମାନେ ପାଣି ନିଷ୍କାସନ ପାଇଁ ନାଳ ନଥିବା, ସ୍ୱରେଜ ବାରମ୍ବାର ଜାମ ହେବା, ବହୁ କ୍ୱାର୍ଟର ଖାଲି ପଡ଼ିଥିବା ଯୋଗୁ ପାଣି ଜମି ଡେଙ୍ଗୁ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ । ଏହା ସହିତ ଆବର୍ଜନା ଟ୍ରଲି ବହୁଦିନ ଧରି ଆସୁନଥିବା ଅଭିଯୋଗ କରିଥିଲେ । ଏହା ଉପରେ ସେ ସହର ସେବା ଅଧିକାରୀଙ୍କ ସହିତ ଆଲୋଚନା କରି ଉଚିତ୍‌ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଡେଙ୍ଗୁକୁ ରୋକିବା ଓ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଏଏନ୍‌ଏମ୍‌ଓ ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର କମ୍ୟୁନିଟି ଟିମ୍‌ ଏହି ଅଞ୍ଚଳରେ ଘର ଘର ବୁଲି ବୁଝିବା ସହିତ ଡେଙ୍ଗୁକୁ କିପରି ରୋକାଯିବ ତା’ ଉପରେ ସଚେତନତା ଜାଗ୍ରତ କରୁଥିବା ବେଳେ ବିଧାୟକଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ସମସ୍ତେ ପରିବେଶକୁ ସଫା ସୁତୁରା ରଖିବା ସହିତ କୁଲର୍‌ର ପାଣିକୁ ସର୍ବଦା ପରିବର୍ତ୍ତନ କରିବା ସହିତ ଶରୀରକୁ ସର୍ବଦା ଢାଙ୍କି ରଖିବା, ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଆଦି ପରାମର୍ଶ ଦେଇଥିଲେ । ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ବିଧାୟକ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌ର ଡେଙ୍ଗୁ ୱାର୍ଡ଼ ବୁଲି ଡେଙ୍ଗୁ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝି ଥିଲେ ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ୱାର୍ଡର ଡାକ୍ତରମାନେ ମଧ୍ୟ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଓ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.