ଦେଶରେ ଆଦିବାସୀଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା : ରାଷ୍ଟ୍ରୀୟ ଆଦିବାସୀ ଆୟୋଗରେ ଅଧିକାରୀ ସଙ୍କଟ

  • ତୁରନ୍ତ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉ, ସାଂସଦ ଶ୍ରୀ ବିଶି
  • ରାଷ୍ଟ୍ରୀୟ ଆଦିବାସୀ ଆୟୋଗ (ଏନ୍‌ସିଏସ୍‌ଟି)କୁ ସୁଦୃଢ କର : ରାଜ୍ୟସଭାରେ ସାଂସଦ ଶ୍ରୀ ବିଶିଙ୍କ ଜୋରଦାର ଦାବି ।

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଷ୍ଟ୍ରୀୟ ଆଦିବାସୀ ଆୟୁକ୍ତଙ୍କ ଅଧିକାରୀ ଓ କର୍ମଚାରୀ ଅବସ୍ଥା ଉପରେ ଗଭୀର ଚିନ୍ତା ପ୍ରକାଶ କରି ଏହା ଆଦିବାସୀମାନଙ୍କ ସ୍ୱାର୍ଥ ସୁରକ୍ଷା ସକାଶେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଉଦବେଗ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ଆଦିବାସୀ ଆୟୋଗ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଦେଶର ଏକ ପ୍ରଧାନ ସାଂବିଧାନିକ ଅନୁଷ୍ଠାନ । ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ସଂବିଧାନର ଧାରା ୩୩୮ (କ) ଅନୁଯାୟୀ ଏହି ଆୟୋଗ ଗଠିତ ହୋଇଛି ଏବଂ ଆଦିବାସୀ ସୁରକ୍ଷା ବିଷୟରେ ତଦନ୍ତ ଓ ନିରୀକ୍ଷଣ କରୁଛି ଏବଂ ଏହି ଆୟୋଗର ସିଭିଲ୍ କୋର୍ଟ ଏବଂ ଫୌଜଦାରୀ ଅଦାଲତ ଭଳିଆ କ୍ଷମତା ରହିଛି ବୋଲି କହିଥିଲେ । ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ବର୍ତ୍ତମାନ ଆୟୋଗ ଗଭୀର ସଙ୍କଟରେ ଅଛି । କାରଣ ୨୦୨୩ ଶେଷ ଓ ୨୦୨୪ ଆରମ୍ଭରେ ୫ ଟି ମୁଖ୍ୟ ପଦବୀ ମଧ୍ୟରୁ ୪ଟି ଖାଲି ଅଛି ଯଥା ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଦୁଇଟି ସଦସ୍ୟ ପଦବୀ । ସେହିପରି ୧୨୪ ଟି ଅନୁମୋଦିତ ପଦବୀ ମଧ୍ୟରୁ ୭୦ରୁ ଅଧିକ ପଦ ଖାଲି ପଡିଛି । ଏହା ଫଳରେ ଆୟୋଗ ୫୦% ରୁ କମ୍ ଅଧିକାରୀ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ କରୁଛି । ଏହି ପରିସ୍ଥିତିରେ ଶ୍ରୀ ବିଶି ସରକାରଙ୍କୁ ତୁରନ୍ତ ସମସ୍ତ ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା ଓ ଆୟୋଗକୁ ସୁଦୃଢ କରିବାକୁ ଦାବି କରିଛନ୍ତି । ଜାତୀୟ ଆଦିବାସୀ ଆୟୋଗ (ଏନ୍‌ସିଏସ୍‌ଟି)ରେ ପଦବୀ ପୂରଣ କରିବା କେବଳ ପ୍ରଶାସନିକ କାମ ନୁହେଁ, ଏହା ସଂବିଧାନିକ ନ୍ୟାୟର ପ୍ରଶ୍ନ ବୋଲି ସାଂସଦ ଶ୍ରୀ ବିଶି କହିଛନ୍ତି ।

Leave A Reply

Your email address will not be published.