ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଟିଟିଲାଗଡ ତୋଫାନି ଗସ୍ତ : ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ସହ ସଂକଳ୍ପ ସଭାରେ ହେଲେ ସାମିଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ପାଟଣାଗଡ ବିଧାୟକ ସରୋଜ ମେହେର ସହ ଆଜି ଏକ ଦିନିଆ ଟିଟିଲାଗଡ ସହରକୁ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଟିଟିଲାଗଡ ବିଜେଡି ଦଳର ସାଙ୍ଗଠନିକ ସଭା, ସଂକଳ୍ପ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ । ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁରିବାହଲ ବ୍ଲକ ସିରୁଲ ଗ୍ରାମରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆଜି ସଂକଳ୍ପ ସଭା ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ପାଟଣାଗଡ ବିଧାୟକ ସରୋଜ ମେହେର, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅର୍ଜୁନ ବେହେରା, କନିଷ୍ଠ ଯନ୍ତ୍ରୀ ପ୍ରକାଶ ମହାନ୍ତି ଅଧିକାରୀ ପ୍ରମୁଖ ଅନେକ ସରକାରୀ ପଦାଧିକାରୀ ଟିଟିଲାଗଡ ମା’ ଓ ଶିଶୁ ଡାକ୍ତରଖାନା ପରିସରରେ ଏକ ନୂତନ ଡାକ୍ତରଖାନା ନିର୍ମାଣ ପାଇଁ ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଥିଲେ । ଏହି ଡାକ୍ତରଖାନା ପାଇଁ ୧୫,୫୮,୨୬୦୦୦ ଟଙ୍କା ବ୍ୟୟବରାଦ କରାଯାଇଛି । ଠିକ୍ ସେହି ପରି ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ମଧ୍ୟ ଭୂମି ପୂଜନ ଅତିଥିଗଣ କରିଥିବା ବେଳେ ଚାରି ଗୋଟି କ୍ଲଷ୍ଟରରେ ହେବାକୁ ଥିବା କୋଠା ନିର୍ମାଣ ପାଇଁ ୯.୦୪ କୋଟି ଟଙ୍କା ଅଟକଳ ରଖାଯାଇ ଟେଣ୍ଡର ପ୍ରକ୍ରିୟା ସରିଯାଇଥିବା ନେଇ ପୂର୍ତ୍ତ ବିଭାଗ ସୂଚନା ଦେଇଛି । ଏହି ଦୁଇଗୋଟି ପ୍ରକଳ୍ପ ଆଗାମୀ ୨୦୨୩ ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ବୋଲି ସୂଚନା ଦିଆଯାଇଛି । ଠିକ୍ ସେହିପରି ଟିଟିଲାଗଡ ପୌର ପରିଷଦ ଦ୍ଵାରା ସରକାରୀ ମହିଳା ମହାବିଦ୍ୟାଳୟର ପଛ ପଟେ ଥିବା ମିନି ଷ୍ଟାଡିୟମ ହତା ମଧ୍ୟରେ ଏକ ସ୍ମାର୍ଟ ପାର୍କ ପାଇଁ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସ୍ମାର୍ଟ ପାର୍କ ଆଧୁନିକିକରଣ ମାଧ୍ୟମରେ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ଟିଟିଲାଗଡ ରେଲୱେ ଷ୍ଟେସନ ନିକଟରେ ପୌରପରିଷଦ ବିଭାଗ ତରଫରୁ ପାଖାପାଖି ୮୯ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ ଏକ ରାତ୍ରି ଆଶ୍ରୟସ୍ଥଳୀ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ମାନଙ୍କୁ ସଂଯୋଗୀକରଣ କରୁଥିବା ନଦୀ ନାଳ ଉପରେ ସେତୁ ନିର୍ମାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଗାଁ ଗାଁରେ ରହୁଥିବା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ମିଶନ ଶକ୍ତି ମଧ୍ୟମରେ ଅନେକ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନେ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ହୋଇପାରିଲେ ଗାଁର ବିକାଶ ସହ ଅଞ୍ଚଳର ବିକାଶ ସୁନିଶ୍ଚିତ ବୋଲି ମତ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଟିଟିଲାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଅନେକ ଯୋଜନା ଗୁଡ଼ିକୁ ମଞ୍ଜୁରୀ ଦେଇ ଅର୍ଥ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞାତ ଜ୍ଞାପନ କରିଥିଲେ ମନ୍ତ୍ରୀ । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ବିଜେଡି କର୍ମୀଙ୍କୁ ସଜାଗ ରହି ପ୍ରତି ଲୋକଙ୍କ ସର୍ବନିମ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ କାର୍ଯ୍ୟଧାରା ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଟିଟିଲାଗଡ ଗୋବିନ୍ଦ ବାଟିକାରେ ଆୟୋଜିତ ହୋଇଥିବା ବିଜେଡିର ସଂକଳ୍ପ ସଭାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ଆହୁରି ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେହି ସବୁ ଯୋଜନା ଗୁଡିକୁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କର୍ମୀ ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଆଜିର ଏହି ସଂକଳ୍ପ ସଭାରେ ସ୍ଥାନୀୟ ବିଜେଡି ନେତା ପ୍ରମୋଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗୀତା ବିଶି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବ ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପଟେଲ, ଗୀତା ବିଶି, ରଞ୍ଜିତ ପୃଷ୍ଟି, ରାଜ କିଶୋର ସିଂ ପାତ୍ର, ସୁକାନ୍ତି ପାଢ଼ୀ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣ ମିଶ୍ର, କୁଶୁ ଜୈନ, ସଞ୍ଜୁ ଗୋୟଲ୍, ସୁନିଲ ପଣ୍ଡା, ଆଶିଷ ବେହେରା, ବୁଲୁ ସେଠ୍, କଲୁ କେଡିଆ ସହ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.