ଟାଟା କମ୍ୟୁନିକେସନ୍‌ର ସହଯୋଗରେ ‘ସଂଜୀବନୀ’ ରିଲିଫ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗର ପ୍ରଭାବ ଧୀରେ ଧୀରେ କମ୍ ହେଉଥିଲେ ବି ବର୍ତ୍ତମାନ ଗ୍ରାମାଞ୍ଚଳର ଗରିବ ଲୋକ ମାନେ ପୂର୍ଣ୍ଣମାତ୍ରାରେ ଜୀବିକା ଉପାର୍ଜନ କରିବାରେ ସମର୍ଥ ହୋଇ ପାରି ନାହାନ୍ତି । ଗ୍ରାମାଞ୍ଚଳର ଅତି ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ, ସାମାଜିକ ଏବଂ ଆର୍ଥିକ ଧକ୍କା ସହ୍ୟ କରିବାର ଶକ୍ତି ଅତ୍ୟନ୍ତ କମ୍ ଥିବାରୁ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ବହୁସଂଖ୍ୟାରେ ଏହି ବର୍ଗର ଲୋକମାନେ ନିଜର ଜୀବିକା ହରାଇଛନ୍ତି । ଏହି ପରିବାର ମାନଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଠିଆ କରିବା ପାଇଁ ଟାଟା କମ୍ୟୁନିକେସନ୍‌ର ଆର୍ଥିକ ସହାୟତାରେ ଟ୍ରିକଲ୍ ଅପ୍ ଏବଂ ନିଧି ମିଳିତ ଭାବେ ମୁରିବହାଲ୍ ବ୍ଲକରେ ଲଗାତାର ରିଲିଫ୍ କାର୍ଯ୍ୟକ୍ରମ କରୁଛନ୍ତି ଯାହାଦ୍ୱାରା ଜୀବିକା ହରାଇଥିବା ଓ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତାଠାରୁ ବଞ୍ଚିତ ଥିବା ଅତ୍ୟଧିକ ଗରିବ ସମ୍ପ୍ରଦାୟ ପରିବାର ଉପକୃତ ହୋଇପାରିବେ । ଗତ ତିନଦିନ ଧରି ଚାଲିଥିବା ସଂଜୀବନୀ ରିଲିଫ କାର୍ଯ୍ୟକ୍ରମରେ ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଏବଂ ସ୍ୱଚ୍ଛତା କିଟ୍ ପ୍ରଦାନ କରାଯାଇଛି । ଏହି ରିଲିଫ କାର୍ଯ୍ୟ ଦ୍ଵାରା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ବ୍ଲକର ୬ଟି ଗ୍ରାମ ପଞ୍ଚାୟତର ଅତି ଗରିବ ସମ୍ପ୍ରଦାୟର ୪୭୧ଟି ପରିବାର ଉପକୃତ ହେଇଛନ୍ତି । ସେପ୍ଟେମ୍ବର ୨୩, ୨୪ ଓ ୨୫ ତାରିଖରେ ମୁରିବାହାଲ ବ୍ଲକର ଲେବେଡା, ବଙ୍କେଲ୍, ବିଟାବନ୍ଧ, ଟୁପଉଡାର, ମାଲିଶିରା ଏବଂ ଡଙ୍‌ଙ୍ଗରପଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୭୧ ଜଣ ଗରିବ ମହିଳାଙ୍କୁ ଏହି କିଟ୍ ଗୁଡିକ ବଣ୍ଟନ କରାଯାଇଥିଲା । ଶୁଖିଲା ଖାଦ୍ୟ ଏବଂ ସ୍ୱଚ୍ଛତା କିଟ୍ ଗୁଡିକରେ ଚାଉଳ, ଡାଲି, ତେଲ, ଚିନି, ମସଲା, ପୁନଃ ବ୍ୟବହାର ଯୋଗ୍ୟ କପଡା ମାସ୍କ, ସାନିଟାରୀ ପ୍ୟାଡ୍, ସାନିଟାଇଜର, ଡିଟରଜେଣ୍ଟ ଏବଂ ସାବୁନ୍ ପ୍ରଦାନ କରଯାଇଥିଲା ଯାହାଦ୍ଵାରା ସେମାନେ ନିଜ ପରିବାରର ଖାଦ୍ୟ ଆବଶ୍ୟକତା ପୂରଣ ସହିତ ନିଜକୁ କାରୋନା ଜୀବାଣୁଙ୍କଠାରୁ ରକ୍ଷା କରିପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛବର୍ଷ ଧରି ଟାଟା କମ୍ୟୁନିକେସନ ସହାୟତାରେ ଟ୍ରିକଲ୍ ଅପ୍ ଏବଂ ନିଧି ମୁରିବାହାଲ୍ ବ୍ଲକରେ ପଳାୟନ ଏବଂ ଦାରିଦ୍ରୟତା ଦୂରୀକରଣ ପାଇଁ ସ୍ମାର୍ଟ୍ ଫୋନ୍ ମାଧ୍ୟମରେ ଅତିଗରିବ ମହିଳାମାନଙ୍କୁ ସଶକ୍ତ କରିବା ସହିତ ସ୍ଥାୟୀ ଜୀବିକା ଉପାର୍ଜନରେ ସହଯୋଗ କରି ଆସୁଛି । ଏହା ବ୍ୟତୀତ ଟ୍ରିକଲ୍ ଅପ୍ ସାମାଜିକ ସଂଗଠନ ନିଧି ସହିତ ମିଳିତ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ବହୁତ ପଦକ୍ଷେପ ନେଇଛି । ହାତ ଧୋଇବା ଏବଂ ଉତ୍ତମ ସ୍ୱଚ୍ଛତା ଠାରୁ ଆରମ୍ଭ କରି ସାମାଜିକ ଦୂରତା ପର୍ଯ୍ୟନ୍ତ ତଥା ଅତ୍ୟଧିକ ଗରିବ ସମ୍ପ୍ରଦାୟ ଲୋକଙ୍କର ଟୀକାକରଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ସେମାନଙ୍କର ଟୀକାକରଣ ସୁନିଶ୍ଚିତ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଏହି ରିଲିଫ୍ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଭବାନୀ ଶଙ୍କର ବେହେରା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଓଡ଼ିଶା ଜୀବିକା ମିଶନର ଗ୍ରାମପଞ୍ଚାୟତ ସ୍ତରୀୟ କର୍ମୀମାନେ, ଅଙ୍ଗନୱାଡ଼ି କର୍ମୀ ଏବଂ ନିଧିର କର୍ମକର୍ତ୍ତା ତାରପଦ ପ୍ରଧାନ, ସୁମନ୍ତୀ ସାହୁ, ଯମୁନା ସାହୁ, ତଥାଗତ ବଗର୍ତ୍ତୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.