ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ପ୍ରଥମ ସଙ୍ଗୀତ ମହାବିଦ୍ୟାଳୟର ସ୍ଥାନ ହେଉଛି, ପବିତ୍ର ଭଞ୍ଜ-ଭୂମି ଗଞ୍ଜାମ ଜିଲ୍ଲାର ବୈରାଣୀଠାରେ ବୋଲି କୁହାଯାଏ । ବୈରାଣୀ ଅବା ‘ବୋହୂରାଣୀର ଅପଭ୍ରଂଶ’ରୁ ସୃଷ୍ଟି ବୋଲି କଥିତ ଅଛି । ଯାହାକି ଅଧୂନା କବିସୂର୍ଯ୍ୟନଗର ନାମରେ ନାମିତ ଓ ଗଠିତ ଏକ ସହରାଞ୍ଚଳ ଭାବେ ପରିଚିତ । ଏହି କବିସୂର୍ଯ୍ୟନଗରରେ ପ୍ରତିଷ୍ଠିତ ଏହି ସଙ୍ଗୀତକଳା ଅନୁଷ୍ଠାନ ଆଜି ବିଲୋପ ହୋଇଯାଇଛି । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ପ୍ରକାଶ ଥାଉକି, ୧୯୪୬ ମସିହାରେ ଆଚାର୍ଯ୍ୟ ତାରିଣୀ ପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ ହୋଇଥିଲା । ପରେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଗାନ୍ଧୀ ସଙ୍ଗୀତ କଳା ମନ୍ଦିର ବୋଲି ନାମ ରଖାଯାଇଥିଲା । ଏହି ଅନୁଷ୍ଠାନ ଲାଗି ବହୁତ କଳାକାରଙ୍କର ଶିକ୍ଷାଲାଭ ହୋଇ ଦେଶ ଓ ଯଶର ସୁନାମ ଆଣିପାରିଥିଲା । ବର୍ତ୍ତମାନର ପ୍ରସିଦ୍ଧ ସଙ୍ଗୀତଜ୍ଞ ଗୁରୁ କେ. ରାମା ରାଓ, ନୃତ୍ୟଗୁରୁ ରବିନ୍ଦ୍ରନାଥ ଅତିବୁଦ୍ଧି, ମର୍ଦ୍ଦଳ ବାଦକ ଗୁରୁ କେ. ବାଇରୀ ପାତ୍ର ଏହି ମହାବିଦ୍ୟାଳୟରୁ ନିଜର ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏଠାରେ ଶାସ୍ତ୍ରୀୟ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟକଳାର ଏକ ନିର୍ଭରଶୀଳ ଅନୁଷ୍ଠାନ ଭାବେ ଏହା ଖ୍ୟାତ ଥିଲା । କେବଳ ଏତିକି ନୁହେଁ ଶହ ଶହ ସଂଖ୍ୟାରେ କଳାକାର ଏଠାରୁ ସୃଷ୍ଟି ହୋଇ ଭାରତର ବିଭିନ୍ନ ସ୍ଥାନ ଯଥା, ବମ୍ବେ, କଲିକତା, ମାଡ୍ରାସ୍ ପର୍ଯ୍ୟନ୍ତ ଖ୍ୟାତିଲାଭ କରି ଗୁରୁ ପ୍ରଦତ୍ତ କଳାକୁ ପ୍ରଚାର ପ୍ରସାର କରିଆସିଥିବାର ଅନେକ ପ୍ରମାଣ ରହିଛି । ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ଡ଼ଃ. ହରେକୃଷ୍ଣ ମହତାବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ ଭଳି ଅନେକ ଭଞ୍ଜ ସଂସ୍କୃତିପ୍ରେମୀ ରଥୀ ମହାରଥୀମାନେ ଏଠାକୁ ନୃତ୍ୟସଙ୍ଗୀତ ଶୁଣିବାକୁ ତଥା ମନୋରଞ୍ଜନ କରିବାକୁ ସ୍ଵଇଚ୍ଛାରେ ଏହି ସ୍ଥାନକୁ ଆସୁଥିଲେ ବୋଲି କୁହାଯାଏ । ଯେଉଁ ଠାରେ କି ସ୍ଵୟଂ ଜଗନ୍ନାଥ ପୁରୀ ଛାଡ଼ି ନିଜେ ଆସିଥିଲେ ଆଚାର୍ଯ୍ୟ ତାରିଣୀ ପାତ୍ରଙ୍କ ସଙ୍ଗୀତ ପାଇଁ, ଯେଉଁଠି ଆଚାର୍ଯ୍ୟ ତାରିଣୀ ପାତ୍ର ମହ୍ଲାର ରାଗ ଗାୟନ କରି ବର୍ଷା କରାଇ ପାରିଥିଲେ, ଏବେ ଏହି ଅନୁଷ୍ଠାନ ସମସ୍ତଙ୍କ ପାଇଁ ପର ପାଲଟି ଯାଇଛି । ସ୍ଥାନଟି ସ୍ଥାଣୁ ପାଲଟିଯାଇଛି । ଯେତେବେଳେ କି ବୀଣା, ବେହେଲା, ବଂଶୀ, ମର୍ଦ୍ଦଳ ଓ ଓଡ଼ିଶୀ ନୃତ୍ୟର ପାଦତାଳରେ ଏ ସ୍ଥାନଟି ଫାଟି ପଡୁଥିଲା । ଆଜି ଏହା ସତରେ ଫାଟି ଖଣ୍ଡ ଖଣ୍ଡ ହୋଇଯାଇଛି । କଳା ଏଠି ଉଜୁଡି ଯାଇଛି । ହଜାର ହଜାର ସଂଖ୍ୟାରେ ଶାସ୍ତ୍ରୀୟବହି, ସଙ୍ଗୀତ ଯନ୍ତ୍ରାଂଶ ଏଠାରେ ଉଇ ଖାଇଗଲା । ସମସ୍ତ କୋଠା ଭୁଷୁଡି ଯାଇଛି । ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ପାଲଟି ଯାଇଛି । ଏବେ ନୁହେଁ ଦୀର୍ଘ ୩୦ ବର୍ଷ ହେଲା ଏମିତି ଏଠି କଳା ଉଇଖାଇଗଲା । ୩୦ ବର୍ଷ ହେଲା ଏପରି ଦୟନୀୟ ଅବସ୍ଥା ଯେ, ଏହି କଳା ସଂସ୍ଥା ଆଜି ସୁପ୍ତ ହୋଇଗଲା । କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସୁନାମ ରହିଥିବା ଏହି ସ୍ଥାନର ମହତ୍ତ୍ୱ ବଜାୟ ରଖିବାକୁ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ଏହି ପ୍ରାଚୀନ ସଙ୍ଗୀତ ମହାବିଦ୍ୟାଳୟକୁ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ଲୋକନେତା, ବିଧାୟକ, ସାଂସଦ ମନ୍ତ୍ରୀ ଓ ଖୋଦ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବଂ ଫାଇଭ-ଟି ସଚିବଙ୍କ ଦୃଷ୍ଟି ପଡିବାକୁ ବିଭିନ୍ନ ମହଲରେ ଦାବୀ ହେଉଅଛି । ପବିତ୍ର ଭଞ୍ଜ ଭୂମିର ଏହି ନିର୍ଭରଯୋଗ୍ୟ କଳା ଅନୁଷ୍ଠାନକୁ ଉଜ୍ଜୀବିତ କରିବା ତଥା ଓଡ଼ିଶାର ପ୍ରଥମ ସଙ୍ଗୀତ ମହାବିଦ୍ୟାଳୟକୁ ପୂନଃ-ନିର୍ମାଣ କରିବାକୁ କଳାକାର ଜାତିପ୍ରାଣୀ ନିବେଦନ କରୁଛନ୍ତି । ଏହି ସ୍ଥାନ ଏବେ ଜୁଆ, ମଦୁଆଙ୍କ ଆଡ୍ଡା ସ୍ଥଳି ପାଲଟି ସେମାନଙ୍କ ଦୋରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଏହି ସଙ୍ଗୀତକଳା କେନ୍ଦ୍ରର ପୂନଃ ଉଦ୍ଧାର କରିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।
Prev Post