ରେଳଷ୍ଟେସନର କାର୍ଯ୍ୟ ଶୀଘ୍ର ତ୍ୱରାନ୍ୱିତ କରାଯାଉ : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ ବରଗଡ଼ ରୋଡ୍‌ ରେଳଷ୍ଟେସନକୁ ଯାଇ ସେଠାରେ ତୋରା ରୋଡ୍‌ ଓ ଭେଡେନ୍‌ ରୋଡ୍‌ ଲେଭେଲ୍‌ କ୍ରସିଂରେ ବାରମ୍ବାର ଗେଟ୍ ପଡି ରହୁଥିବାରୁ ଲୋକଙ୍କ ଯିବା ଆସିବାରେ ବହୁତ ସମସ୍ୟା ହେଉଥିଲା । ତେଣୁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଉଭୟ ରାସ୍ତାର ମଧ୍ୟଭାଗରେ ରେଳବାଇ ପକ୍ଷରୁ ଏକ ସବ୍‌-ୱେ ନିର୍ମାଣ କରାଗଲା । ଏହାଦ୍ୱାରା ଲୋକେ ଅନାୟାସରେ ଯିବା ଆସିବା କରି ପାରିବେ । କିନ୍ତୁ ଏହାର ତ୍ରୁଟିପୂର୍ଣ୍ଣ ଡିଜାଇନ ଯୋଗୁଁ ଲୋକଙ୍କ ପାଇଁ ଏକ ନୂତନ ସମସ୍ୟା ସୃଷ୍ଟି ହେଲା । ନିକଟରେ କେନାଲ ଥିବାରୁ ଏହାର ତଳ ଅଂଶରେ ସର୍ବଦା ପାଣି ଭରି ରହୁଛି । ଏ ବିଷୟରେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ସେତେବେଳେ ସେମାନେ ପମ୍ପ ଯୋଗେ ଜଳ ନିଷ୍କାସିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ, ନିମ୍ନ ଭାଗରେ ଥିବା ହମ୍ପସର ଉଚ୍ଚତା ଅଧିକ ହୋଇଥିବାରୁ ଛୋଟ କାର୍‌ ଗୁଡ଼ିକର ତଳଅଂଶ ଏଥିରେ ବାଜୁଛି । ଏଠାରେ ପର୍ଯ୍ୟାପ୍ତ ଲାଇଟ୍ ବ୍ୟବସ୍ଥା ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଲୋକେ ରାତିରେ ଉକ୍ତପଥ ଦେଇ ଯିବାକୁ ନିରାପଦ ମନେ କରୁନାହାନ୍ତି । ତୋରା ଅଞ୍ଚଳର ଅନେକ ଝିଅପିଲାମାନେ ବରଗଡ଼ର ବିଭିନ୍ନ ଦୋକାନରେ ଚାକିରି କରିଥାନ୍ତି । ସେମାନେ ରାତି ୯ଟା ପରେ ଉକ୍ତ ରାସ୍ତା ଦେଇ ବହୁତ ଭୟଭୀତ ହୋଇ ଘରକୁ ଫେରିଥାନ୍ତି । ସେଠାରେ ଲାଇଟ୍ ଓ ସିସିଟିଭି ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକ ଲୁଟ୍‌ର ଶିକାର ମଧ୍ୟ ହେଉଛନ୍ତି । ଉଭୟ ଗେଟ୍ ଟ୍ରେନ୍‌ ଯାଉନଥିବା ବେଳେ ମଧ୍ୟ ବନ୍ଦ ରଖାଯାଉଥିବା ଅଭିଯୋଗ ହେଉଛି । ଗତ ୨୦ ତାରିଖ ଦିନ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧିଦଳ ଷ୍ଟେସନ ତଥା ସବ୍‌-ୱେ ବୁଲି ଦେଖିଥିଲେ । ଷ୍ଟେସନ୍‌ରେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଷ୍ଟେସନ୍‌ ଅଧୀକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ବେଶି ବର୍ଷା ହେଲେ ସେଡ୍‌ରୁ ପାଣି ଗଳୁଥିବା, ଲିଫ୍ଟ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା, ପ୍ରସ୍ତାବିତ ଦ୍ଵିତୀୟ ଏଫଓବି ଓ ତତ୍ ସଂଲଗ୍ନ ରେମ୍ପ୍ କାର୍ଯ୍ୟ ଏ ଯାବତ୍ ଆରମ୍ଭ ହୋଇନଥିବା, ବୋତଲରେ ସ୍ୱଚ୍ଛ ପାନୀୟଜଳ କାଉଣ୍ଟର ବନ୍ଦ ରହୁଥିବା ଇତ୍ୟାଦି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଷ୍ଟେସନ୍‌ ଅଧୀକ୍ଷକ ଦୃଷ୍ଟି ଆକର୍ଷିତ କରାଯାଇଥିବା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ । ଲିଫ୍ଟ କାର୍ଯ୍ୟକୁ ପ୍ରାଥମିକତା ଦେଇ ୧୫ /୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ କୁହାଯାଇଥିଲା । ଉପରୋକ୍ତ ସମସ୍ତ ସମସ୍ୟା ସମ୍ପର୍କରେ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକଙ୍କୁ ଅବଗତ କରି ଏହାର ସମାଧାନ କରାଯିବାକୁ ସ୍ଥିର କରାଯାଇଥିଲା । ଆଜିର ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଶୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ, ପି. ଆର୍‌. ଓ. କିଶୋର କୁମାର ରଥ ଓ ଅଭିଜିତ ପ୍ରତିହାର ତଥା ବରିଷ୍ଠ ସଦସ୍ୟ ତୁଳସୀ ଚରଣ ଦାଶ ଓ ଦେବୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.