
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମପଞ୍ଚାୟତ କେତେରଭଟ୍ଟା ଛକ ୪୧ ନମ୍ବର ରାଜ୍ୟପଥ କଡ଼ରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ କେକେବିଏନ୍ ପକ୍ଷରୁ ଏହି ପୋଷ୍ଟର ଲାଗିଛି । ସେପଟେ ମାଲକାନଗିରିରେ ଦୀର୍ଘ ଦିନର ନୀରବତା ପରେ ପୁଣି ସକ୍ରିୟ ହୋଇଛି ମାଓ ସଂଗଠନ । ଲାଲ ବାହିନୀ ପକ୍ଷରୁ ମଙ୍ଗଳବାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାପୁଲୁର ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ମାଓବାଦୀମାନେ ତେଲୁଗୁ ଓ ଓଡ଼ିଆ ଭାଷାରେ ଲିଖିତ ପୋଷ୍ଟର ଲଗାଇଥିଲେ । ପୂର୍ବରୁ ମାଓ ସଂଗଠନରେ ସକ୍ରିୟ ଥିବା ରମେଶ, ରାକେଶ, ସପ୍ନା ଓ ତୁଳସୀ ଏବେ ଠିକାଦାର ଓ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓ ସଂଗଠନକୁ ବଦନାମ କରୁଥିବାରୁ ସେମାନଙ୍କୁ ମାଓବାଦୀଙ୍କ ପାର୍ଟିରୁ ବହିଷ୍କାର କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଏମାନେ କୌଣସି ଗାଁକୁ ଆସିଲେ ସେମାନଙ୍କୁ ସହଯୋଗ ନକରିବା ସହ ବାନ୍ଧି ରଖିବା ପାଇଁ କୁହାଯାଇଛି । ଚିତ୍ରକୋଣ୍ଡା ପୋଲିସ ଏହିସବୁ ପୋଷ୍ଟର ଜବତ କରି ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି ।