
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଏକଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରବିନ୍ଦ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୂଦୂର ବିଶ୍ୱଭାରତି, ଶାନ୍ତି ନିକେତନରୁ ଅନ୍ଲାଇନ୍ ମୋଡରେ ବିଷୟ ବିଶେଷଜ୍ଞ ଡଃ. କୈଳାସ ପଟ୍ଟନାୟକ ନିଜ ବକ୍ତବ୍ୟରେ “ସ୍ୱାଧିନତା ପରବର୍ତ୍ତୀ ଓଡିଆ ଉପନ୍ୟାସରେ ଇତିହାସର ସ୍ୱର ଓ ସ୍ୱାକ୍ଷର” ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ଅଶୋକ କୁମାର ଦାଶ ସାର୍ଥକ ଐତିହାସିକ ଉପନ୍ୟାସର ବିଧିବଦ୍ଧ ପରିଭାଷା, ଉଦ୍ଦେଶ୍ୟ ଓ ପରିସର ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ କେଦାରନାଥ ମିଶ୍ର ଯୋଗଦେଇ ଇତିହାସ ଓ ସାହିତ୍ୟର ସଂଜ୍ଞା ନିରୂପଣ କରି ଐତିହାସିକ ଉପନ୍ୟାସର ବୈଶିଷ୍ଟ୍ୟ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଆଇକ୍ୟୁଏସି ସଂଯୋଜକ ବିଭୂତି ଭୂଷଣ ସାହୁ, ସହକାରୀ ପ୍ରଫେସର ରତିକାନ୍ତ ନାଏକ ଓ ସମ୍ପାନର ଆବାହକ ଡଃ ସରୋଜ କୁମାର ଜଗଦଲା ମଞ୍ଚାସୀନ ଥିଲେ । ଏହି ଆଲୋଚନା ଚକ୍ରରେ ୭ଜଣ ଗବେଷକ ଅଧ୍ୟାପକ ଡଃ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ତ୍ରିପାଠୀ, ଡଃ ମୀନକେତନ କୁମ୍ଭାର, ଡଃ କୌତୁକ ପନ୍ଦର, ସହକାରୀ ପ୍ରଫେସର ରତିକାନ୍ତ ନାଏକ, ଗବେଷକ ରଂଜନ ମାଝୀ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସମୀକ୍ଷକ ଭାବେ ଡଃ ଅଶୋକ କୁମାର ଦାଶ ଯୋଗଦେଇଥିଲେ । ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଡଃ ଇତିଶ୍ରୀ ଦାଶ ଯୋଗଦେଇଥିଲେ । ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ ଶିବାନୀ ତାଣ୍ଡି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିପ୍ଳବ ପଧାନ ଧନ୍ୟବାଦ ଦେଇଥିଲେ ।