ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ପାଇଁ ସମୀକ୍ଷା ବୈଠକ ଏବଂ ସମ୍ବାଦିକ ସମ୍ମିଳନୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନ ଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଏବଂ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ, ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଂଚଳର ଅନୁସୂଚିତ ଜନଜାତି ବହୁଳ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଯୋଜନା ଗୁଡିକର ପରିପୂର୍ଣ୍ଣତା ଦ୍ଵାରା ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଆରମ୍ଭ ହୋଇଛି । ୧୭ ଗୋଟି ବିଭାଗ ଦ୍ଵାରା ପ୍ରାୟୋଜିତ ୨୫ଟି କାର୍ଯ୍ୟକ୍ରମ ଦ୍ଵାରା ଉକ୍ତ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ଵାରା ଉପଲବ୍ଧ ସୁବିଧା ଗୁଡିକର ପରିପୂର୍ଣ୍ଣତା ଦିଗରେ ସମଯୋଜିତ ଭାବରେ ପଦକ୍ଷେପ ନିଆଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କାଘର, ଗମନାଗମନ ସୁବିଧା, ଆତ୍ମନିଯୁକ୍ତି ଯୋଜନା, ତାଲିମ, ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯିବ । ନୂଆପଡା ଜିଲ୍ଲାର ୨୬୦ଟି ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି । ନୂଆପଡା ବ୍ଲକର ୩୪, କୋମନାର ୧୨୪, ଖରିଆରର ୧୮, ବୋଡେ଼ନର ୭୦, ସିନାପାଲିର ୧୪ ଏହିଭଳି ୨୬୦ଟି ଗ୍ରାମର ଆଦିମ ଅଧିବାସୀ ମାନେ ଏହାଦ୍ୱାରା ଉପକୃତ ହେବେ । ଏହି ମହତ ଉଦ୍ଦେଶ୍ୟକୁ ଏକ ମିଶନ ହିସାବରେ ନେଇ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଦ୍ୱାରା ଆହୁତ ବୈଠକରେ ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଡ଼ିଏଫ୍‌ଓ, ଡିଆଇପିଆର୍‌ଓ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ, କୃଷି, ମତ୍ସ୍ୟ, ସମାଜ କଲ୍ୟାଣ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ସମସ୍ତ ବ୍ଲକ ମଙ୍ଗଳ ଅଧିକାରୀ ମାନେ ଯୋଗ ଦେଇଥିଲେ । ସଭା ଶେଷରେ ଜିଲ୍ଲାପାଳ ଏହି ସବୁ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.