ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

  • ମନୋରଞ୍ଜନଙ୍କ ନାଟ୍ୟଧାରାର ପ୍ରତିଫଳନ ସ୍ୱରୂପ ଏକକ ଅଭିନୟରେ ନାଟକ ପ୍ରଦର୍ଶନ
  • ଓଡ଼ିଆ ଓ ବଙ୍ଗଳା ନାଟକର ଦ୍ୱାରା ନେପାଳୀ ନାଟକ ଅନେକଭାବେ ପ୍ରଭାବିତ

ରାଉରକେଲା, (ସସ୍ମିତା ପ୍ରଧାନ) :ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ କଳା ସଂସ୍ଥା (ବିଟା) ଏବଂ ନେପାଳର ସରୱନମର ମିଳିତ ସହଯୋଗରେ ‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ଦ୍ୱିତୀୟ ଦିନର ଶେଷ ଅଧିବେଶନରେ ନାଟ୍ୟ ବ୍ୟକ୍ତିତ୍ୱ ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଲୋଚନାରେ ବିଷୟ ବିଶେଷଜ୍ଞଭାବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ବରିଷ୍ଠ ପ୍ରଫେସର ସତ୍ୟବ୍ରତ ରାଉତ ଯୋଗଦେଇ ମନୋରଞ୍ଜନ ନାଟ୍ୟ ଶୈଳୀ ସମ୍ପର୍କରେ ଆଲୋଚନା କରିବା ସହ ଭିଡିଓ ମାଧ୍ୟମରେ କିଛି କ୍ଷୁଦ୍ର ନାଟକ ପ୍ରଦର୍ଶନ କରି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବିଷୟ ବିଶେଷଜ୍ଞ ଭାବେ ସୁଶିଳାବତୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ନାଟ୍ୟ ବ୍ୟକ୍ତିତ୍ୱ ଡଃ. ସଞ୍ଜୟ ହାତୀ ଯୋଗଦେଇଥିଲେ । ଏଥିରେ ଅନ୍ୟତମ ବିଷୟ ବିଶେଷଜ୍ଞଭାବେ ନେପାଳର ସରୱନମ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ତଥା ନାଟ୍ୟ ବ୍ୟକ୍ତିତ୍ୱ ଅଶେଷ ମଲ୍ଲ ଆଭାଷୀ ମାଧ୍ୟମରେ ଯୋଗଦେଇ ନେପାଳୀ ନାଟକ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ନେପାଳରେ ହେଉଥିବା ନେପାଳୀ ଭାଷା ନାଟକ ମୁଖ୍ୟତଃ ଓଡ଼ିଆ ଏବଂ ବଙ୍ଗଳା ନାଟକ ଦ୍ୱାରା ପ୍ରଭାବିତ ବୋଲି କହିବା ସହ ମନୋରଞ୍ଜନଙ୍କ ନାଟକର ପ୍ରଭାବ ନେପାଳରେ ରହିଥିବା ଉଲ୍ଲେଖ କରିଥିଲେ । ଅଧ୍ୟାପିକା ଶୁଭସ୍ମିତା ଜେନା ଏହି ଅଧିବେଶନରେ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ରଜନୀ କିସାନ । ଏହି ଅବସରରେ ଭୁବନେଶ୍ୱର ନାଟ୍ୟ ଚେତନା ଅନୁଷ୍ଠାନର ଅନ୍ୟତମ ସଦସ୍ୟା ତଥା ରାଉରକେଲାର ଝିଅ ସୁଜାତା ପ୍ରିୟମ୍ବଦାଙ୍କ ଏକକ ଅଭିନୟରେ ପ୍ରଦର୍ଶିତ ହୋଇଥିଲା । ନାଟକ ‘ରେବତୀ, ସେବତୀ ଓ ଏବତୀ’ । ପ୍ରାୟ ୧୨୭ ବର୍ଷ ପୂର୍ବେ ଫକୀର ମୋହନଙ୍କ ଲିଖିତ ରେବତୀ ଗଳ୍ପ ଓ ଏହାର ମୁଖ୍ୟ ଚରିତ୍ର ରେବତୀର ଉତ୍ତରଣ ସହିତ ରେବତୀ କିପରି ସେବତୀ ଓ ଏବତୀରେ ପରିଣତ ହୋଇଛି ସେ ସମ୍ପର୍କରେ ସୁଜାତାଙ୍କ ଅଭିନୟ ବେଶ ମନୋମୁଗ୍ଧକର ଓ ମର୍ମସ୍ପର୍ଶୀ ହୋଇଥିଲା । ଝିଅମାନେ ନିଜର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେଲେ ଯାଇ ସେମାନଙ୍କର ଉନ୍ନତି ଓ ବିକାଶ ସମ୍ଭବ ବୋଲି ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଯାପନୀ ସଭାରେ ପ୍ରଫେସର ଡଃ. ସମର ମୁଦାଲି, ସୁବୋଧ ପଟ୍ଟନାୟକ ଏବଂ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡଃ. ସୁଷମା ମୋଦି ପ୍ରମୁଖ ଉପସ୍ଥିତ ଥିଲେ । ୨ ଦିନିଆ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ପ୍ରବନ୍ଧ ପାଠକ ଓ ପାଠିକାମାନଙ୍କୁ ଏହି ଅବସରରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଦ୍ୱୀଦିବସୀୟ ଅଧିବେଶନରେ ରାଉରକେଲାର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ମହାଶ୍ୱେତା ସାହୁ ଓ ଡକ୍ଟର ପ୍ରଭା ସୁଚେତା ଏକ୍କା ଏବଂ ଭୁବନେଶ୍ୱରର ଡଃ. ସ୍ନିଗ୍ଧା ଶୁଭଦର୍ଶିନୀ ଓ ଡକ୍ଟର ସଂଘମିତ୍ରା ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ । ସେହିଭଳି ଦ୍ୱିତୀୟ ଅଧିବେଶନରେ ଭଦ୍ରକର ସୁଶ୍ରୀ ଗାୟତ୍ରୀ ବେହେରା, ପୁରୀର ଡକ୍ଟର ସର୍ମିଷ୍ଟା ମହାପାତ୍ର, ସମ୍ବଲପୁରର ଗବେଷକ ଧର୍ମେନ୍ଦ୍ର ଚୂହାନଙ୍କ ସମେତ ରାଉରକେଲାର ଅଧ୍ୟାପିକା ଡଃ. ଅପର୍ଣ୍ଣା ଧର ଓ ମମତା ସେନାପତି ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେଃ ତୃତୀୟ ତଥା ଶେଷ ଅଧିବେଶନରେ ନାଟ୍ୟ ଲେଖିକା ତଥା ପୂର୍ବରଙ୍ଗ ପତ୍ରିକାର ସମ୍ପାଦିକା ଡଃ. ନିବେଦିତା ଜେନା, ସମ୍ବଲପୁରର ଅଧ୍ୟାପିକା ଡଃ. ଲିପିକା ମିଶ୍ର ଓ ଗବେଷିକା ଆରତୀ ବଗର୍ତ୍ତି, ପାରଳାଖେମୁଣ୍ଡିର ଡଃ. ବିପ୍ଳବ ରଞ୍ଜନ ପ୍ରଧାନ, ରାଉରକେଲାର ଅଧ୍ୟାପିକା ଡଃ. ସୁଷମା ମୋଦି, ରଜନୀ କିସାନ, ଧରିତ୍ରୀ ପାଇକରାୟ ଓ ଡକ୍ଟର ସୁଶାନ୍ତ କିସାନଙ୍କ ସମେତ ଭଦ୍ରକର ଡଃ. ଅରବିନ୍ଦ ଦାସ ସ୍ୱରଚିତ ପ୍ରବନ୍ଧମାନ ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସୁଭନାଥ ସା, ଅଧ୍ୟାପିକା ସ୍ନେହଲତା ଗୋଛି, ସୁଚିସ୍ମିତା ମଢୁଆଳ, ତପସ୍ୱିନୀ ସାହୁଙ୍କ ସମେତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.