ଆସ ଏବଂ ନିଜକୁ ଜାଣିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସ ଏବଂ ନିଜକୁ ଜାଣିବା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଦେବ ଭୂମି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଟ୍ରଷ୍ଟି ରାଜୀବ ପାଣି, ଟ୍ରଷ୍ଟି ଅନୁପମ ରାୟ, ଟ୍ରଷ୍ଟି ରାଧାକାନ୍ତ ମହାପାତ୍ର ଓ ସମାଜସେବୀ ସୁଧୀର ସୁନ୍ଦର ରାୟ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ନିଜ ସଂସ୍କୃତି, ନିଜ ସମ୍ପର୍କରେ ଓ ଆଧ୍ୟାତ୍ମିକ ବିଷୟରେ ଜାଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଏହି ଟ୍ରଷ୍ଟ ଆନୁକୂଲ୍ୟରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲକ୍ଷ ରଖାଯାଇଛି । ଯଥା ଆଧ୍ୟାତ୍ମିକର ପ୍ରବାହ, ନିଜର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ, ପ୍ରକୃତିକୁ ସଂରକ୍ଷଣ ନିମିତ୍ତ ବୃକ୍ଷରୋପଣ ଓ ଅଧିକ ଜଙ୍ଗଲ ସୃଷ୍ଟି, ମୃତ୍ତିକା ଓ ଜଳ ସଂରକ୍ଷଣ, ଛାତ୍ରଛାତ୍ରୀ ଓ ଯୁବପିଢି ମଧ୍ୟରେ ରକ୍ତ ଓ ଅଙ୍ଗଦାନ ସମ୍ପର୍କରେ ସଚେତନତା, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ସୃଷ୍ଟି ଓ ଯୁବ ପିଢ଼ିଙ୍କୁ ଯୋଗ, କ୍ରୀଡା, ବ୍ୟାୟାମ ତଥା ଶାରିରୀକ ସୁସ୍ଥତା କୌଶଳ ତଥା ଡ୍ରଗ୍ସ, ମାଦକ ଦ୍ରବ୍ୟ ସେବନରୁ ନିରୁତ୍ସାହିତ କରିବା ଏହି ଟ୍ରଷ୍ଟର ମୂଳ ଲକ୍ଷ ବୋଲି କୁହାଯାଇଛି । ସମ୍ପ୍ରତି ଏହି ଟ୍ରଷ୍ଟ ପ୍ରାରମ୍ଭିକ ଅବସ୍ଥାରେ ଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ବ୍ୟାପକ କରାଯାଇ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ମଧ୍ୟରେ ଏକ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ତରାଇ ସୂଚନା ଦେଇଥିଲେ । ଏଥିପାଇଁ ଏକ ବାର୍ଷିକ ସରଣୀ ପ୍ରସ୍ତୁତ କରାଯାଇଛି । ଏହି ସର୍ଭିସରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଶ୍ରୀକୃଷ୍ଣ, ଭଗବତ୍ ଗୀତା, ମା’ ଦୁର୍ଗା, ନବରାତ୍ରି ଓ ଦୁର୍ଗାପୂଜାର ଗୁରୁତ୍ୱ, ଶିବ ପୁରାଣ, ସାବିତ୍ରୀ, ଜଗନ୍ନାଥ ସଂସ୍କୃତି, ରଥଯାତ୍ରା ସମ୍ପର୍କରେ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଲକ୍ଷ ରଖାଯାଇଛି ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକ୍ରମ ଯୁବପିଢି ଓ ସମସ୍ତଙ୍କୁ ଆମ ସଂସ୍କୃତି ଓ ସମ୍ପର୍କରେ ଅଧିକ ଜାଣିବା ପାଇଁ ସୁଯୋଗ ଦେବ ବୋଲି କୁହାଯାଇଛି । ଏହି ବାର୍ଷିକ କାର୍ଯ୍ୟକ୍ରମ ଆସନ୍ତା ୧୮ରୁ ଆରମ୍ଭ ହୋଇ ୨୦୨୫ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.